Unknown

 

 

 

 

 

 

 

 

 

 

 

ଲାଲ୍‌ ଝଣ୍ଡା

ରମେଶ ଚନ୍ଦ୍ର ମିଶ୍ର

 

।। ଏକ ।।

 

ସନ୍ଧ୍ୟା ଛଅଟା ।

 

ଜୟନ୍ତ ତାର ଗାଡ଼ି ଖଣ୍ଡକ ଧରି ଟିକିଏ ବୁଲିଯିବା ପାଇଁ ପ୍ରସ୍ତୁତ ହେଉଥିଲା ।

 

କ୍ରିଙ୍ଗ.... କ୍ରିଙ୍ଗ..... କ୍ରିଙ୍ଗ....

 

ଘର ଭିତରେ ଟେଲିଫୋନ୍‌ ଶବ୍ଦ ଶୁଣାଗଲା ।

 

ରହସ୍ୟାନୁସନ୍ଧାନୀ ଜୟନ୍ତ ପାଣିଗ୍ରାହୀର ସହକାରୀ ସୁଧୀର ରିସିଭରଟା ଉଠାଇ ଧରିଲା ।

 

ଟେଲିଫୋନ୍‌ ଶବ୍ଦ ଜୟନ୍ତ କାନରେ ପଡ଼ିଥିଲା । ତେଣୁ ସେ ଯିବା ପାଇଁ ଇଚ୍ଛା କଲା ନାହିଁ । ଟିକିଏ ଅପେକ୍ଷା କରି ଯିବାଟା ଉଚିତ । ଟେଲିଫୋନ୍‌ରେ କି ଖବର ଆସିଛି ସେଇଟା ଶୁଣିବା ଦରକାର ।

 

ଦୁଇ ମିନିଟ୍‌ ।

 

ସୁଧୀର ଘରଭିତରୁ ବାହାରି ଆସିଲା । ଗ୍ୟାରେଜ୍‌ ଆଗରେ ଜୟନ୍ତ ଚିନ୍ତିତ ଅବସ୍ଥାରେ ଠିଆ ହୋଇଛି ।

 

ହସିହସି ସୁଧୀର କହିଲା—ଆଜି ଆଉ ବୁଲି ଯାଇହେବ ନାହିଁ ।

 

—କାହିଁକିରେ ? ହଠାତ୍‌ ପୁଣି କଣ ହେଲା ?

 

—ସେକଥା ଠିକ୍‌ ଜାଣେ ନାହିଁ । ତେବେ ଆମମାନଙ୍କର ଦୀର୍ଘ ଦିନର ବନ୍ଧୁ ନରେନ୍‌ ଦେଖା କରିବା ପାଇଁ ଆସୁଛନ୍ତି ।

 

—କାରଣ କିଛି ଜଣେଇ ନାହିଁ ?

 

—ନା । କେବଳ କହିଲା ଜରୁରୀ କଥା ଅଛି । ତୁ ଯେଉଁଠି ଯେମିତି ଅବସ୍ଥାରେ ଥିଲେ ବି ସେ ତୋ ସଙ୍ଗେ ଦେଖା କରିବ ।

 

—ହଉ ! ମୁଁ ଏବେ ଟିକିଏ ଅପେକ୍ଷା କରୁଛି ।

 

—କେବଳ ଅପେକ୍ଷା ନୁହେଁ, ହୁଏତ ପୁଣି ନୂଆ କାମରେ ହାତ ଦେବାକୁ ହେବ । ଖାଲି କାମ ପରେ କାମ । ଗୋଟାଏ କାମ ତୁଟିଲା ବେଳକୁ ଆଉ ଗୋଟାଏ କାମ ଆସି ଜୁଟିଯାଉଛି । ଟିକିଏ ବିଶ୍ରାମ କରିବାର ଉପାୟ ନାହିଁ ।

 

ଜୟନ୍ତ ହସିଦେଇ କହିଲା—ଜୀବନରେ କାମର ଶେଷ ତ ନାହିଁ । କିନ୍ତୁ ତା ବୋଲି ନରେନ୍‌ର ଯେମିତି ଅସମ୍ମାନ ନ ହୁଏ ।

 

—କାହିଁକି ? ଏକଥା କାହିଁକି କହୁଛୁ ।

 

—ମାନେ ଭିତରେ ଖବର ଦେ, ଟିକିଏ ଭଲ ଜଳଯୋଗର ବ୍ୟବସ୍ଥା ହେଉ । ତୁ ତ ଜାଣୁ, ସେ ଅଣ୍ଡା ପୋଚ୍‌ ବେଶି ଭଲ ପାଏ ।

 

କଥାଟା ଶୁଣି ସୁଧୀର ଉଚ୍ଚ ସ୍ୱରରେ ହସିଉଠିଲା । ତାପରେ କହିଲା—ହଁ, ସେଥିପାଇଁ ତାର ସାଙ୍ଗ ଅଫିସରମାନେ ତାକୁ ଶ୍ୱେତପଦ୍ମ ଭକ୍ତ ବୋଲି ଥଟ୍ଟା କରନ୍ତି ! କିନ୍ତୁ ଆଶ୍ଚର୍ଯ୍ୟ, ଦିନକ ଭିତରେ ସେ ଦଶ ପନ୍ଦରଟା ପୋଚ୍‌ କେମିତି ହଜମ କରେ !

 

ଜୟନ୍ତ କହିଲା—ଅଭ୍ୟାସ କଲେ ମଣିଷ ସବୁ ପାରେ ସୁଧୀର । ମଣିଷ ଅଫୁରନ୍ତ ଶକ୍ତି ଆଉ ସ୍ୱାସ୍ଥ୍ୟର ଅଧିକାରୀ ହୋଇପାରେ, ଆଉ ଏ ତ ସାମାନ୍ୟ ଅଣ୍ଡା ହଜମ କରିବା କଥା !

 

ବିଶେଷ କଥା ନ ବଢ଼ାଇ ଦୁହେଁ ଭିତରକୁ ଗଲେ ।

 

ଅଧ ଘଣ୍ଟାଏ ପରେ ।

 

ଭିତର ଖାଇବା ଘର ଟେବୁଲ ପାଖେ ଜୟନ୍ତ ନରେନ୍‌ଙ୍କୁ ନେଇ ବସିଲା ।

 

ଚାକର ଟୋକା ଦୁଇଟି ବଡ଼ ପ୍ଲେଟରେ ଅନେକଗୁଡ଼ିଏ ଅଣ୍ଡା ପୋଚ୍‌ ଆଉ ଚା’ ଆଣି ଦେଇଗଲା ।

 

ପ୍ରିୟ ଖାଦ୍ୟବସ୍ତୁର ସମାରୋହରେ ନରେନ୍‌ ଖୁସି ହୋଇଗଲେ । ଖୁବ୍‌ ଅଳ୍ପ ମଧ୍ୟରେ ସେତକ ଶେଷ କରି ଚା’କପ୍‌ଟା ଉଠେଇନେଇ କହିଲେ—ମୁଁ ଜରୁରୀ କାମରେ ଆସିଛି ।

 

ଜୟନ୍ତ ଆଉ ସୁଧୀର ମନଯୋଗ ଦେଲେ ।

 

ନରେନ୍‌ କହିବାକୁ ଆରମ୍ଭ କଲେ—ଅନେକ ଦିନ ହେଲା ତ ଏ ଲାଇନ୍‌ରେ ତମେମାନେ ଅଛ; କିନ୍ତୁ ଲାଲ୍‌ ଝଣ୍ଡା ନାମରେ କୌଣସି ଦୁର୍ଦ୍ଦାନ୍ତ ଦସ୍ୟୁଦଳର ନାମ ଶୁଣିଛ କି ?

 

ଜୟନ୍ତ ଚିନ୍ତିତ ହେଲା ।

 

ଟିକିଏ ଭାବି କହିଲା—ସେମିତି କୌଣସି ନାମ ଶୁଣିବା ତ ମୋର ମନେ ପଡ଼ୁ ନାହିଁ । ଲାଲ୍‌ ଝଣ୍ଡା କହିଲେ ସାଧାରଣତଃ ଆମର ଲୋକମତରେ କୌଣସି ଏକ ବିପ୍ଳବବାଦକୁ ବୁଝାଇଥାଏ । କିନ୍ତୁ ଏ କ୍ଷେତ୍ରରେ....

 

ନରେନ୍‌ ଟିକିଏ ହସିଦେଇ କହିଲେ—ଏ କ୍ଷେତ୍ରରେ କିନ୍ତୁ ଜଣେ ଖୁବ୍‌ ଶିକ୍ଷିତ ଆଉ ବୈଜ୍ଞାନିକ ବୁଦ୍ଧିସମ୍ପନ୍ନ ଲୋକକୁ ଲାଲ୍‌ ଝଣ୍ଡା ବୋଲି କୁହାଯାଉଛି ।

 

—ସେ କେମିତି କଥା ?

 

—ହଁ । ଏହାପୂର୍ବରୁ ସେମାନେ ବର୍ମା ଆଉ ସିଙ୍ଗାପୁର ଅଞ୍ଚଳରେ ଥିଲେ । ସେ ପ୍ରାୟ ଦଶ ବର୍ଷ ଆଗର କଥା ।

 

ଜୟନ୍ତ ଚିନ୍ତିତ ଭାବରେ କହିଲା—ତାପରେ ?

 

—ତାପରେ ଏମାନେ ଦୀର୍ଘଦିନ ଧରି ଉତ୍ତର-ପଶ୍ଚିମ ସୀମାନ୍ତ ପ୍ରଦେଶର ଅରାଜକ ଅଞ୍ଚଳରେ ନିର୍ବିଘରେ ସେମାନଙ୍କର ଭୟାବହ ଗୁଣ୍ଡାମୀ ଆଉ ଧ୍ୱଂସଲୀଳା ଚଳେଇଥିଲେ । ସବୁଠାରୁ ମଜାର କଥା ହେଉଛି ଯେ, ଦିନବେଳେ ଏମାନେ ଖୁବ୍‌ ସାଧାରଣ ଭାବରେ ସାଧାରଣ ମଣିଷଙ୍କ ସଙ୍ଗେ ମିଶିଥାଆନ୍ତି । ତାପରେ ରାତି ହେବା ସଙ୍ଗେ ସଙ୍ଗେ ଏମାନେ ନିଜର ଭୟାବହ ଧ୍ୱଂସଲୀଳା ଆରମ୍ଭ କରି ଦିଅନ୍ତି । ଯେତେବେଳେ ଯେଉଁ ଅଞ୍ଚଳରେ ଏମାନେ କାମ କରନ୍ତି, ସେତେବେଳେ ସେଠାରେ ଏମାନେ ଆକାଶରେ ଗୋଟାଏ ଘନନୀଳ ଆଲୋକ ଜାଳି ଦିଅନ୍ତି । ତାପରେ ସେ ଘନନୀଳ ଆଲୋକଟା ଲିଭିଯିବା ସଙ୍ଗେ ସଙ୍ଗେ ସେଠାରେ ଗୋଟାଏ ଲାଲ୍‌ ଝଣ୍ଡାର ସଙ୍କେତ ଫୁଟିଉଠେ ।

 

—ସେଇଟା କି ଜିନିଷ ?

 

—ସେଇଟା ହେଉଛି ଏଇୟା ଯେ, ସେମାନେ ଆଗରୁ ଜଣାଇ ଦିଅନ୍ତି, ନିର୍ଦ୍ଦିଷ୍ଟ ଗୋଟାଏ ଅଞ୍ଚଳରେ ସେମାନଙ୍କର ଧ୍ୱଂସଲୀଳା ଅନୁଷ୍ଠିତ ହେବ ।

 

—କିନ୍ତୁ ଆଜି ପର୍ଯ୍ୟନ୍ତ କଣ ତା ଦଳର କେହି ଧରା ପଡ଼ି ନାହିଁ ?

 

—ନା । ଏମାନେ ଗୋଟାଏ ସ୍ଥାନରୁ ଆଉ ଗୋଟାଏ ସ୍ଥାନକୁ ଏଭଳି ଭାବରେ ବୁଲନ୍ତି ଯେ ତାଙ୍କୁ ସହଜରେ ଧରି ହୁଏ ନାହିଁ । ଆଉ ଦିନବେଳେ ଦଳର ସମସ୍ତେ ଆତ୍ମଗୋପନ କରି ରହନ୍ତି । ସାଧାରଣ ନାଗରିକମାନଙ୍କ ସହିତ ଏମାନେ ମିଶି ରହିଥାଆନ୍ତି । ତେଣୁ କିଏ ଯେ ସେ ଲାଲ୍‌ ଝଣ୍ଡା ଦଳର ନାୟକ, ପୋଲିସ ଶତଚେଷ୍ଟା କରି ବି ଜାଣିପାରି ନାହିଁ ।

 

—କିନ୍ତୁ ସେମାନଙ୍କ ବିଷୟରେ ତମେ ଏତେ ଚିନ୍ତିତ କାହିଁକି ?

 

—ଚିନ୍ତାର କାରଣ ଅଛି ଭାଇ । କିଛି ଦିନ ତଳେ ଜାଣିବାକୁ ପାଇଲି ଏଇ ଲାଲ୍‌ ଝଣ୍ଡାଦଳ ବିହାରରେ ଧାରଣା ଦେଇଥିଲେ । ସେଠା ପୋଲିସ୍‌ର ତତ୍ପରତା ଦେଖି ସେମାନେ କଲିକତା ବାଟ ଧରିଲେ । କଲିକତାରେ ସେମାନେ ମାସ ପାଞ୍ଚଟା ଭିତରେ ଆଠ କୋଟି ଟଙ୍କା ଲୁଟ୍‌କରି ସାରିଲେଣି । ବର୍ତ୍ତମାନ ପୋଲିସର ଗୁପ୍ତ ବିଭାଗର ଧାରଣା ଯେ, ସେମାନେ କେଉଁଠି ଏ ଅଞ୍ଚଳରେ ତାଣ୍ଡବ ଚଳେଇବେ ।

 

—କିନ୍ତୁ ସେମିତି କୌଣସି ପ୍ରମାଣ ତ...

 

—ପ୍ରମାଣ ନ ପାଇଲେ ବି ଆମମାନଙ୍କୁ ତଦନ୍ତ ଚଳେଇବାକୁ ହେବ । ସେମାନେ ସମଗ୍ର ଭାରତର ଏଭଳି ଆତଙ୍କ ସୃଷ୍ଟି କରିଛନ୍ତି ଯେ ସେମାନଙ୍କ ବିରୁଦ୍ଧରେ ଦ୍ରୁତ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ପଡ଼ିବ ।

 

—ସେକଥା ତ ବୁଝିଲି । କିନ୍ତୁ କୌଣସି ନିର୍ଦ୍ଦିଷ୍ଟ କର୍ମପଦ୍ଧତି ଅବଲମ୍ବନ ନ କଲେ କାହା ବିରୁଦ୍ଧରେ ଆଗେଇବା କେତେ କଠିନ ସେଇଟା ତ ତମେ ଜାଣ ।

 

—ଜାଣେ ନିଶ୍ଚୟ । କିନ୍ତୁ ଉପର ମହଲରୁ ଚାପ ପଡ଼ିଛି ଯେ ସାରା ସହରରେ ଥିବା ସନ୍ଦେହଜନକ ସ୍ଥାନଗୁଡ଼ାକ ସର୍ଚ୍ଚ କରିବାକୁ ହେବ । ଏତେ ଅଳ୍ପ ସମୟରେ ସେଇଟା କେମିତି ସମ୍ଭବ ହେବ କହିଲ ?

 

—ଆଚ୍ଛା, ଗୋଟାଏ କାମ କଲେ ହୁଅନ୍ତା ନାହିଁ ଭାଇ ?

 

—କି କାମ କୁହ ।

 

—ଆମେମାନେ ସବୁ ଦିଗରୁ ଏଭଳି ପ୍ରସ୍ତୁତ ରହିଥିବା ଯେ କୌଣସିଠାରେ କିଛି ଅଘଟଣ ଘଟିବା ସଙ୍ଗେ ସଙ୍ଗେ ତାଙ୍କର ଜଣେ ଦୁଇ ଜଣ ମୁଣ୍ଡିଆଳଙ୍କୁ ଜବତ୍‌ କରିପାରିବା ।

 

—କିନ୍ତୁ ସେମାନଙ୍କ ଦଳର ମୁଣ୍ଡିଆଳ ମାତ୍ର ଜଣେ । କିନ୍ତୁ ସେ ଲୋକଟା କିଏ ଏବଂ ତାର ରୂପ ରଙ୍ଗର କୌଣସି ସଠିକ ବିବରଣୀ ଆଜି ପର୍ଯ୍ୟନ୍ତ ମିଳି ନାହିଁ । ସବୁ ଦିଗରୁ ଅଡ଼ୁଆରେ ପଡ଼ି ଶେଷରେ ତମ ପାଖରେ ଆସି ପହଞ୍ଚିଛି ।

 

ଜୟନ୍ତ କିଛି ସମୟ କଣ ଯେମିତି ଚିନ୍ତା କଲା । ତାପରେ କହିଲା—ବର୍ତ୍ତମାନ ପାଇଁ ତ ଆଉ କିଛି ବିଶେଷ ସେମିତି କରାଯାଇ ପାରୁନାହିଁ । ତେବେ ଯଦି କିଛି ଘଟେ ମୁଁ ସଙ୍ଗେ ସଙ୍ଗେ ନିଜେ ଯେତେଟା ପାରେ ଚେଷ୍ଟା କରିବି । ସେମାନେ ଯେତେ ଚାଲାକ୍‌ ହୁଅନ୍ତୁ ନା କାହିଁକି, ସାରା ପୋଲିସ ବାହିନୀର ଆୟତ୍ତର ବାହାରେ ସେମାନେ ସବୁଦିନେ ରହିପାରିବେ ବୋଲି ମୋର ମନେ ହେଉ ନାହିଁ । କିନ୍ତୁ ତମେ ମତେ ହଠାତ୍‌ ଲାଲ୍‌ ଝଣ୍ଡା ଦଳ କଥା କାହିଁକି ପଚାରି ବସିଲ ?

 

ନରେନ୍‌ କହିଲେ—ଏମିତି କେତେଗୁଡ଼ାଏ ଘଟଣା ନିଶ୍ଚୟ ଘଟିଛି, ଯାହା ଫଳରେ ସେମାନଙ୍କ ଖବର ତୁମକୁ ଦେବା ବିଶେଷ ଦରକାର ପଡ଼ିଲା ।

 

—କିନ୍ତୁ କଣ ସେ ଘଟଣା ?

 

—ବର୍ତ୍ତମାନ କୌଣସି ବିଷୟରେ କିଛି କହିବାର ନାହିଁ । ତେବେ ଯଦି ମୋ କଥା ସତ ହୁଏ, ତେବେ ହୁଏତ ଖୁବ୍‌ ଶୀଘ୍ର ତୁମର ସାହାଯ୍ୟ ଗ୍ରହଣ କରିବାକୁ ପଡ଼ିବ ।

 

ଜୟନ୍ତ ନରେନ୍‌ଙ୍କର କଥା ଶୁଣି ଚିନ୍ତିତ ଭାବରେ ତାଙ୍କର ମୁହଁ ଆଡ଼େ ଚାହିଁ ରହିଲା ।

 

।। ଦୁଇ ।।

 

ସୀମାହୀନ ଆକାଶର ଦକ୍ଷିଣ ପଟେ ବିଜୁଳୀ ଚମକ ଭଳି ହଠାତ୍‌ ଗୋଟାଏ ଘନନୀଳ ଆଲୋକ ଜଳିଉଠିଲା ।

 

ବିସ୍ମିତ ହୋଇ ସମସ୍ତେ ସେଇଆଡ଼େ ଚାହିଁ ରହିଲେ । ଏ ଆଲୋକଟା କଣ ? କେଉଁ ଅଜଣା, ଭୟଙ୍କର, ମୃତ୍ୟୁ ଭଳି କରାଳ, ନିୟତି ଭଳି ଦୁର୍ବାର ଗୋଟାଏ ଆଗାମୀ ଧ୍ୱଂସର ପ୍ରତିବିମ୍ବ ଏଇ ଆଲୋକ ଶିଖାରେ ଉଦ୍ଭାସିତ ?

 

ଗାଡ଼ି, ମଟର, ରିକ୍‌ସା, ହୋଟେଲ, ଜଳଖିଆ ଦୋକାନ, ପଥଚାରୀ ଅଜସ୍ର, ଅଗଣିତ ଜନତାର ପ୍ରତିଟି ମଣିଷର ଦୃଷ୍ଟି ସେ ଆଡ଼େ ପଡ଼ିଥିଲା । ସମସ୍ତେ ଭାବିବାରେ ଲାଗିଛନ୍ତି, ଏ ନିର୍ମେଘ, ନିର୍ମୁକ୍ତ ଆକାଶରେ ଏ ବିଦ୍ୟୁତ୍‌ଶିଖା କେଉଁଠୁ ଆସିଲା ?

 

ଆଉ ବିଦ୍ୟୁତର ଝଲକ ତ କେବେହେଲେ ଏଭଳି ଘନ ନୀଳାଭ ଶିଖାରେ ଚମକି ଉଠେ ନାହିଁ । ତେବେ କଣ ପୃଥିବୀ ପ୍ରଳୟ ହେବାକୁ ଯାଉଛି ?

 

ତେବେ କଣ ବିଶାଳ କୌଣସି ନୀହାରିକା ଅଥବା ନାମ ଜଣା ନଥିବା କୌଣସି ନକ୍ଷତ୍ରର ସଂଘାତରେ ପୃଥିବୀ ଚୂର୍ଣ୍ଣବିଚୂର୍ଣ୍ଣ ହୋଇଯିବ—

 

ଏଇଟା ତାର ପୂର୍ବ ଇଙ୍ଗିତ ? ଏଇଟା କଣ ମହାକାଳର ପ୍ରଳୟ ତାଣ୍ଡବର ପୂର୍ବ ସୂଚନା-?

 

ଅପଲକ ଦୃଷ୍ଟିରେ ସମସ୍ତେ ଆକାଶଆଡ଼େ ଚାହିଁ ରହିଲେ । ସମସ୍ତଙ୍କ ମୁହଁରେ ଗୋଟାଏ ପ୍ରଶ୍ନ—ଏ ଆଲୋକଟା କଣ ?

 

ସମସ୍ତଙ୍କର ବିସ୍ମୟର ମାତ୍ରା ଆହୁରି ବଢ଼ାଇ ଦେଇ ପୁଣିଥରେ ସେଇ ଘନନୀଳ ଆଲୋକଟା ଜଳିଉଠିଲା । ଏଥର ସେ ଆଲୋକର ଦୀପ୍ତି ଆହୁରି ଦୀର୍ଘସ୍ଥାୟୀ ।

 

ଏଇଟା ଯେ ବିଜୁଳୀର ଚମକ ନୁହେଁ ଏଥର ସେ ଭୁଲଟା ସମସ୍ତଙ୍କ ମନରୁ ଭାଙ୍ଗିଗଲା । କିନ୍ତୁ ଏଇଟା ଯେ କଣ ସେ କଥା କେହି ନିର୍ଦ୍ଦିଷ୍ଟ ଭାବରେ କହିପାରିଲେ ନାହିଁ ।

 

ବିଜ୍ଞାନ ବହିରେ ସେମାନେ ଏମିତି କିଛି ପଢ଼ି ନାହାନ୍ତି, ଜୀବନରେ କେବେ କି ଦେଖି ନାହାନ୍ତି କିମ୍ବା ଦେଖିବା କଥା ବି କଳ୍ପନା କରି ନାହାନ୍ତି ।

 

ଚାରିଆଡ଼େ ବିସ୍ମୟର ଗୁଞ୍ଜନ-ନିର୍ବାକ ଜନସାଧାରଣର ଦୃଷ୍ଟି ମୂକ ! ସେମାନେ ଯେମିତି ଚିନ୍ତାଶକ୍ତି ହରେଇ ବସିଛନ୍ତି । ଏଇଟା ସେମାନଙ୍କ ଆଖି ଆଗରେ କଣ ଦେଖାଯାଉଛି ? କୌଣସି ସ୍ୱପ୍ନ—ରାଜ୍ୟର ଯାଦୁଶକ୍ତି ଭିତରେ ସେମାନେ ପ୍ରବେଶ କରିଛନ୍ତି ନା କଣ ?

 

ସେମାନଙ୍କର ସମସ୍ତ ବିସ୍ମୟକୁ ନିମିଷକ ମଧ୍ୟରେ ଅନ୍ତର୍ହିତ କରି ଦେଇ ବିପୁଳ ଅବ୍ୟକ୍ତ ଭୟ ସଞ୍ଚାର ହେଲା । ଲାଗିଲାଗି ତିନି ଥର ବିସ୍ଫୋରଣର ଶବ୍ଦ ଶୁଣାଗଲା । ଆକାଶଟା ଥରଥର ହୋଇ ସେ ଗର୍ଜନରେ ଯେମିତି ଥରିଉଠିଲା ! ଧପ୍‌ଧପ୍‌ ହୋଇ ସମସ୍ତଙ୍କର ଛାତି ପଡ଼ିବା ଉଠିବାକୁ ଲାଗିଲା !

 

ସୃଷ୍ଟିର ଶେଷ ଦିନ ବୋଧହୁଏ ଆସନ୍ନ । କମାଣର ବଜ୍ର ନିର୍ଘୋଷ ବୋଧହୁଏ ଏହା ପାଖରେ ହାର ମାନିବ, ଡିନାମାଇଟର ଗଗନଭେଦୀ ଶବ୍ଦ ବୋଧହୁଏ ଏହା ସହିତ ସମକକ୍ଷ ହେବ ନାହିଁ । ତେବେ ଏ ପ୍ରଚଣ୍ଡ ଶବ୍ଦଟା କଣ ? ପୃଥିବୀ କଣ ଏ ପ୍ରଚଣ୍ଡ ଶବ୍ଦରେ ଭାଙ୍ଗିପଡ଼ିବ ? ଅନେକେ ଅଚ୍ୟୁତାନନ୍ଦ ମାଳିକା କଥା ମନେ ପକେଇଲେ ।

 

ସ୍ତମ୍ଭିତ, ବିସ୍ମିତ, ନିର୍ବାକ ସମସ୍ତେ ଆପଣା ଆପଣା ଘର ମୁହାଁ ହୋଇ ଧାଇଁବାରେ ଲାଗିଲେ । ଯେଭଳି ଭାବରେ ହେଉ, ନିଜକୁ ଏ ଧ୍ୱଂସ ମୁହଁରୁ ବଞ୍ଚାଇବାକୁ ହେବ । ଦୋକାନ ବଜାର ବନ୍ଦ ହୋଇଗଲା । ରାସ୍ତାଘାଟ ଜନଶୂନ୍ୟ ।

 

ରିକ୍‌ସା, ଟାଉନ ବସ, ଯିଏ ଯାହା ପାଇଲା ରାସ୍ତା କାଟିଲା । ପଳେଇ ଚାଲ, ପଳେଇ ଚାଲ ! ଯଃ ପଳାୟତି ସ ଜୀବତି । ସମସ୍ତେ ଅଣନିଃଶ୍ୱାସୀ ହୋଇ ଘରକୁ ଧାଇଁଲେ ।

 

ସମସ୍ତଙ୍କର ଚମକ ଭଲ ଭାବରେ କଟିଲା ବେଳକୁ ହଠାତ୍‌ ଦେଖାଗଲା ଆକାଶରେ ଗୋଟାଏ ଜ୍ୱଳନ୍ତ ଲାଲ ରେଖା ଫୁଟି ଉଠିଲା, ଲାଲ ଝଣ୍ଡା ।

 

ଭୟ କଟିଗଲା । ପ୍ରଚୁର ବିସ୍ମୟ ଆଉ ବିହ୍ୱଳତା ଦେଖାଦେଲା । ଅଭୁତ ! ଅପୂର୍ବ ! ଅଶ୍ରୁତପୂର୍ବ ! ଅଚିନ୍ତନୀୟ ! ସମସ୍ତେ ଘରର ଛାତରେ କିମ୍ବା କୌଣସି ଉଚ୍ଚ ସ୍ଥାନକୁ ଉଠି ଆକାଶ ଆଡ଼େ ଚାହିଁବାରେ ଲାଗିଲେ । ଅମାବାସ୍ୟାର ଗାଢ଼ ଅନ୍ଧାର ରାତି । ତମସାମୟୀ ଆକାଶ ବକ୍ଷରେ ଉଡ଼ୁଛି ଗୋଟାଏ ଲାଲ୍‌ ଝଣ୍ଡା ।

 

ଲାଲ୍‌ ଝଣ୍ଡା ! ସମସ୍ତଙ୍କ ମୁହଁରେ ସେଇ ଗୋଟାଏ କଥା ! ସମଗ୍ର ସହରର ପ୍ରତ୍ୟେକଙ୍କ ମୁହଁରୁ ଗୋଟାଏ କୋଳାହଳ ଗୁଞ୍ଜନ ଶୁଣାଯିବାକୁ ଲାଗିଲା ସାରା ଭାରତର ପୋଲିସ ବାହିନୀକୁ ହେଳାରେ ତୁଚ୍ଛ କରି ଏ ସହରର ବକ୍ଷରେ ଲାଲ୍‌ ଝଣ୍ଡାର ଆବିର୍ଭାବ ହୋଇଛି ।

 

ଏ ଆଲୋକଶିଖା ବୋଧହୁଏ ଲାଲ୍‌ ଝଣ୍ଡାଦଳର ବିଜୟ ପତାକା । ଏ ଗଗନ ବିଦାରୀ ଶବ୍ଦଟା ବୋଧହୁଏ ତାର ସମ୍ମାନସୂଚକ ତୋପଧ୍ୱନି । ସେ ପ୍ରମାଣ କରିଛି ଜଗତ ଆଗରେ ଆଜି ସେ ଅପରାଜୟେ ! ଦୁର୍ଦ୍ଧର୍ଷ ! ଅଜର-ଅମର ! ଶ୍ରଦ୍ଧା, ବିସ୍ମୟ, ଭୟ ଆଉ ଆଶ୍ଚର୍ଯ୍ୟର ଗୋଟାଏ ମିଶ୍ର ସମାବେଶ ସମସ୍ତଙ୍କର ମନରେ ଦେଖାଗଲା ।

 

କିନ୍ତୁ ଏସମସ୍ତକୁ ତିଳେହେଲେ ଭ୍ରୂକ୍ଷେପ ନକରି ଗୋଟାଏ ବିରାଟ, କଳା, ଆବୃତ ମୋଟରଗାଡ଼ି ସହର ସୀମା ଛାଡ଼ି ଦକ୍ଷିଣ ଦିଗକୁ ଛୁଟିଚାଲିଛି ।

 

ତାର ସେ ଉନ୍ମାଦ ଗତିବେଗ ଦେଖି ଭୟରେ କୌଣସି ପୋଲିସ କିମ୍ବା ଟ୍ରାଫିକ କନେଷ୍ଟବଳ ହାତଟେକି ତାକୁ ବାଧା ଦେଇପାରିଲେ ନାହିଁ । ସେ ଯେମିତି ବନ୍ଧନହୀନ କଳ୍ପନାରେ ଅଗ୍ରଦୂତ । ମାଇଲ ହିସାବରେ ତାକୁ ବୁଝି ହୁଏ ନାହିଁ । ଷାଠିଏ, ସତୁରି, ଅଶୀ କିମ୍ବା ନବେ !

 

ତେବେ କକ୍ଷଚ୍ୟୁତ କୌଣସି ନୀହାରିକାର ଗତି ବୋଧହୁଏ ଏହା ପାଖରେ ହାରିଯାଏ । ସବୁ ବାଧାକୁ ତୁଚ୍ଛ କରି ନିମିଷକ ମଧ୍ୟରେ ଅନେକ ଗୁଡ଼ାଏ ପଥ ଅତିକ୍ରମ କରିବାଟା ଯେ ତାର ଏକମାତ୍ର ଉଦ୍ଦେଶ୍ୟ ସେଥିରେ ତିଳେ ହେଲେ ସନ୍ଦେହ ନାହିଁ ।

 

ଗାଡ଼ିଭିତରେ ଦୁଇଟି ପ୍ରାଣୀ ବସିଛନ୍ତି—ଜୟନ୍ତ ପାଣିଗ୍ରାହୀ ଆଉ ତାର ସହକାରୀ ସୁଧୀର ।

 

ବୋଧହୁଏ ମୁହାଁମୁହିଁ ଦ୍ୱୈରଥ ସମର ଘନେଇ ଆସିଲା ! ତାର ପରିମାଣ କେଉଁଠି କିଏ ଜାଣେ !

 

।। ତିନି ।।

 

ସହରର ବିଶିଷ୍ଟ ଧନୀ ଅଲେଖ ବିହାରୀ ଧଳ ତାଙ୍କର ସୁଜନପଡ଼ା ବାସଭବନରେ ଅସ୍ଥିର ଭାବରେ ଟହଲ ମାରୁଥିଲେ ।

 

କିଛି ସମୟ ପୂର୍ବରୁ ସେ ସେଦିନ ଡାକରେ ଆସିଥିବା କେତେଖଣ୍ଡ ଚିଠି ଉପରେ ଦ୍ରୁତ ନଜର ବୁଲେଇବାରେ ଲାଗିଥିଲେ, ସେତିକିବେଳେ ଗୋଟିଏ ଅଭୁତ ମୋଟା ଲଫାପା ଉପରେ ତାଙ୍କର ଦୃଷ୍ଟି ପଡ଼ିଲା ।

 

ସାମାନ୍ୟ ଖଣ୍ଡେ ଲଫାପା; କିନ୍ତୁ ସେଇଟା ନିମିଷକ ମଧ୍ୟରେ ଯେମିତି ତାଙ୍କ ମୁହଁରୁ ସମସ୍ତ ରକ୍ତ ଶୋଷିନେଲା ।

 

ଲଫାପାର ଠିକ୍‌ ବାମ କୋଣକୁ ଗୋଟାଏ ଲାଲ୍‌ ଝଣ୍ଡାର ଚିତ୍ର ଛାପା ହୋଇଛି ।

 

ଲାଲ୍‌ ଝଣ୍ଡା ।

 

କଇଁଚି ସାହାଯ୍ୟରେ ଲଫାପାଟାର ମୁହଁ କାଟି ଭିତରର କାଗଜଖଣ୍ଡକ ବାହାର କରି ଆଣିଲେ ।

 

ସାମାନ୍ୟ କେତୋଟି ଧାଡ଼ି ଲେଖାଯାଇଛି, କିନ୍ତୁ ସେଇତକ ଯେମିତି ତାଙ୍କ ମଧ୍ୟରେ ଗୋଟାଏ ବିରାଟ ପରିବର୍ତ୍ତନ ଆଣିଦେଲା !

 

ଧୀରେ ଧୀରେ ତାଙ୍କ ମୁହଁରେ ମାଂସପେଶୀ କଠିନ ହୋଇଉଠିଲା । ଜ୍ୱଳନ୍ତ ଅଙ୍ଗାର ଭଳି ତାଙ୍କର ଆଖି ଦୁଇଟା ଦପ୍‌ଦପ୍‌ ହୋଇ ଜଳି ଉଠିଲା ।

 

ମାତ୍ର କେତୋଟି ମୁହୂର୍ତ୍ତ ।

 

ତାପରେ ଲଫାପାଟା ତଳକୁ ଫୋପାଡ଼ି ଦେଇ ସେ ଚିତ୍କାର କରି ଉଠିଲେ—ନା, ନା,ଏଇଟା ହୋଇପାରେନା, ଏଇଟା ସମ୍ପୂର୍ଣ୍ଣ ଅସମ୍ଭବ ! ଅବାସ୍ତବ !

 

ପ୍ରାଣପଣେ ନିଶ୍ଚିନ୍ତ ହେବାର ଚେଷ୍ଟା କରି ସେ ଖଣ୍ଡେ ସିଗାରେଟ ଧରେଇଲେ ।

 

କିନ୍ତୁ ପୁଣି ଆଖି ଦୁଇଟା ଆପେ ଆପେ ଯାଇ ତଳେ ପଡ଼ିଥିବା ଚିଠି ଖଣ୍ଡକ ଉପରେ ପଡ଼ିଲା ।

 

ପୁଣି ଚିଠିଖଣ୍ଡକ ଉଠାଇନେଇ ସେ ପଢ଼ିବାରେ ଲାଗିଲେ ।

 

ପ୍ରିୟ ନୀଳାମ୍ବର ଦାସ,

 

ଜୀବନରେ ତମେ ଅନେକ ଅଦ୍ଭୁତ କାମ କରିଛ । ତେବେ ସବୁଠାରୁ ଯେଉଁଟା ବଡ଼ ଆଶ୍ଚର୍ଯ୍ୟ ସେଇଟା ହେଉଛ ତମେ ନିଜେ । ଆଜି ତମେ ନାମ ବଦଳାଇ ପ୍ରାଣପଣେ ଅଲେଖ ବିହାରୀ ଧଳ ହେବାର ଚେଷ୍ଟା କରୁଛ ।

 

କିନ୍ତୁ ଗୋଟାଏ ସ୍ଥାନରେ ତୁମେ ମାରାତ୍ମକ ଭୁଲ୍‌ କରି ପକେଇଛ । ତୁମକୁ ଚିହ୍ନିବା ପାଇଁ ମତେ ଟିକିଏ ହେଲେ କଷ୍ଟ ହୋଇ ନାହିଁ । ଆଜି ମୁଁ ଯଦି ଅସଲ ପରିଚୟ ପ୍ରକାଶ କରିଦିଏ, ତାହେଲେ ତୁମର ଘୃଣିତ, ପିଛିଲା ଦିନର କଥା ସ୍ମରଣ କରି ସମସ୍ତେ ଶିହରି ଉଠିବେ ।

 

ଆଜି ତମେ ଯଦି କୋଡ଼ିଏ ବର୍ଷ ତଳକୁ ଫେରିଯାଅ ତେବେ ତୁମର ଏତେଧନ—ଐଶ୍ୱର୍ଯ୍ୟ ବି ସବୁ ବୃଥା ପ୍ରତିପନ୍ନ ହେବ । ଲୋକେ ତୁମକୁ ଗୋଟାଏ ଘୃଣିତ, ନୀଚ ହତ୍ୟାକାରୀ ବୋଲି ଜାଣିବେ ।

 

କିନ୍ତୁ ଏଇୟା କଣ ତୁମେ ଆଶା କରୁଚ ?

 

ଯଦି ଏ ଘୋର ଦୁର୍ବିପାକରୁ ନିଜକୁ ରକ୍ଷା କରିବାକୁ ଆଶା କରୁଥାଅ ତାହେଲେ କିଛିଟଙ୍କା ତୁମକୁ ଖର୍ଚ୍ଚ କରିବାକୁ ହେବ ।

 

ଭୁଲିଯାଅନା ଯେ ତୁମର ଅସତ୍‌ ଉପାୟରେ ଉପାର୍ଜିତ ଅର୍ଥରେ ବହୁ ଦୀନଦରିଦ୍ର ଦୁଇ ମୁଠା ଖାଇବାକୁ ପାଇ ବଞ୍ଚିବେ ।

 

ମାତ୍ର କୋଡ଼ିଏ ହଜାର ଟଙ୍କାର ନୋଟ ପ୍ୟାକେଟରେ ବାନ୍ଧି ପଅରଦିନ ରାତି ଦୁଇଟା ବେଳେ ଶ୍ମଶାନରେ ଥିବା ବଡ଼ କବରର ଦକ୍ଷିଣ ପାଖ ଚଟାଣରେ ରଖି ଆସିବ, ତାହେଲେ ସେଇଟା ମୋ ହାତରେ ପଡ଼ିବ ।

 

ନହେଲେ ମନେରଖ ନୀଳାମ୍ବର, ତୁମେ କ୍ଷମା ପାଇବନି ! ପୋଲିସକୁ ଜଣେଇବାକୁ ଗଲେ ଏ ଚିଠି ସେମାନଙ୍କୁ ଦେଖାଇବାକୁ ହେବ, ତାହେଲେ ପୋଲିସ ତୁମର ପୁରୁଣା ପରିଚୟ ଜାଣି ପକେଇବ—ସୁତରାଂ ସେ ଚେଷ୍ଟା କରିବନି ବୋଲି ମନେହୁଏ ।

 

ବର୍ତ୍ତମାନ ଯାହା ଭଲ ବୋଲି ଭାବୁଚ କର । ଆଉ ଗୋଟାଏ କଥା, ତୁମର ପୁରୁଣା ପରିଚୟ ପ୍ରମାଣ କରିବାର କ୍ଷମତା ବି ମୋର ଅଛି । ଇତି—

 

ଲାଲ୍‌ ଝଣ୍ଡା ।

 

ଅଲେଖ ବାବୁଙ୍କ ହାତ ଦୁଇଟା ଥରିବାକୁ ଲାଗିଲା ।

 

କୋଡ଼ିଏ ବର୍ଷପରେ କାଳ ହାତର କାଉଁରୀ ତାଙ୍କ ଦେହରେ ଏମିତି ଅଭୂତ ପରିବର୍ତ୍ତନ ହୋଇଛି ଯେ କେହି କୌଣସି ଦିନ ତାଙ୍କୁ ଦେଖି ବିନ୍ଦୁମାତ୍ର ବି ସନ୍ଦେହ କରିପାରିବନି ଯେ ସେ ଅତୀତର କଳଙ୍କ—ନୀଳାମ୍ବର ଦାସ ।

 

ତେବେ ଏମାନେ କେମିତି ପୁରୁଣା ବନର କାହାଣୀ ଜାଣିପାରିଲେ, କେମିତି ଆଜି ଏ ଅସମ୍ଭବ ସମ୍ଭବ ହୋଇଛି ? ତେବେ ଏମାନେ କଣ ମାୟାବୀ ନା ଯାଦୁକର ?

 

ଅଲେଖ ବାବୁ ସଙ୍ଗେ ସଙ୍ଗେ ଯାଇ ଗୋଟାଏ ବଡ଼ ଦର୍ପଣ ଆଗରେ ଠିଆ ହେଲେ । ସମାଲୋଚକ ଦୃଷ୍ଟିରେ ସେ ନିଜର ପ୍ରତିଫଳିତ ପ୍ରତିବିମ୍ବ ଆଡ଼େ ଚାହିଁ ରହିଲେ ।

 

ନା, ଆଜି ସେ ସମ୍ପୂର୍ଣ୍ଣ ଅନ୍ୟଲୋକ । ପେଶୀବହୁଳ ଦେହରେ ବି ଯଥେଷ୍ଟ ପରିବର୍ତ୍ତନ ହୋଇଛି । ମୁଣ୍ଡ ଚନ୍ଦା ଧରି ଆସିଲାଣି । ମୁହଁରେ ସୁନ୍ଦର ନିଶ ଦାଢ଼ୀ । କପାଳ ପାଖରୁ କେତେଟା ବାଳ ପାଚି ଆସିଛି । ସେ ଆଜି ଗୋଟିଏ ଅଭୂତ ଗାମ୍ଭୀର୍ଯ୍ୟପୂର୍ଣ୍ଣ ପ୍ରୌଢ଼ ।

 

ଦ୍ୱାରର ହୁକ୍‌ଟା ଲଗେଇ ଦେଇ ଟେବୁଲ ଡ୍ରୟର ଭିତରୁ ଗୋଟାଏ ପୁରୁଣା ବାକ୍‌ସ କାଢ଼ିଲେ । ତା ଭିତରୁ ଗୋଟିଏ ଦୀର୍ଘଦିନ ପୂର୍ବରୁ ପୁରୁଣା ଯୁବକର ଫଟୋ କାଢ଼ିଲେ । ନା, ଦୁହିଁଙ୍କ ମଧ୍ୟରେ ଆଉ କୌଣସି ମେଳ ନାହିଁ ।

 

ସେ ଅନେକଟା ନିଶ୍ଚିନ୍ତ ହେଲେ । ନା, ଲାଲ୍‌ ଝଣ୍ଡା ଦଳପତି ଆଜି ଶତ ଚେଷ୍ଟା କଲେ ବି ପ୍ରମାଣ କରି ପାରିବନି ଯେ ଅଲେଖ ବିହାରୀ ଧଳ ହିଁ ନିଜେ ନୀଳାମ୍ବର ଦାସ !

 

ଧୀରେ ଧୀରେ ଆଉ ଥରେ ସେ ଲଫାପାଟା ଉଠାଇ ନେଲେ ଭଲଭାବେ ଓଲଟ ପାଲଟ କରି ସେଇଟା ଦେଖିବାରେ ଲାଗିଲେ ।

 

କୌଣସି ନୂଆ ତଥ୍ୟ ଆବିଷ୍କୃତ ହେଲାନି, କେବଳ ଦେଖାଗଲା ସେ ଲଫାପା ଉପରେ ଟାଉନର ଦ୍ୱିତୀୟ ଡାକଘରର ଛାପ ରହିଛି ।

 

ଚିଠିଟା ସେଇଦିନ ଡାକରେ ପଡ଼ିଛି ।

 

ତାର ଅର୍ଥ ପତ୍ର ପ୍ରେରକି ତାଙ୍କରି ଆଖପାଖରେ କେଉଁଠି ଲୁଚି ରହିଛି ।

 

କିନ୍ତୁ କେଉଁଠି ସେ ? କିଏ ସେ ?

 

ଧୀରେ ଧୀରେ ତାଙ୍କ ମୁହଁରେ ବିରକ୍ତିର ରେଖା ଫୁଟି ଉଠିଲା ।

 

କେହି ନିଶ୍ଚୟ ବାଜେ ଚିଠି ଦେଇ ତାଙ୍କୁ ଠକିବାକୁ ଇଚ୍ଛା କରୁଛି । ସେ ଦିଗରେ ମନ ଦେଇ ଲାଭ ନାହିଁ । କିନ୍ତୁ କେହି ତ ଜାଣନ୍ତିନି ଯେ ତାଙ୍କର ପୂର୍ବନାମ ନୀଳାମ୍ବର ଦାସ ଥିଲା ।

 

ଆଉ ଏ ଲାଲ୍‌ ଝଣ୍ଡା ! ତାର ପୂର୍ବ କୀର୍ତ୍ତିଗୁଡ଼ାକ ଯେମିତି ଆଉ ଥରେ ତାଙ୍କ ଆଖି ଆଗରେ ଭାସି ଉଠିଲା ।

 

ଏ ଲେଖା କଣ ଜାଲ ? ପୁଣି ସେ ଭାବିବାକୁ ଆରମ୍ଭ କଲେ । ତାଙ୍କ କପାଳ ଉପରେ ବିନ୍ଦୁ ବିନ୍ଦୁ ଝାଳ ଦେଖାଗଲା । ତାପରେ ଚିଠାଖଣ୍ଡକ କରି ଟୁକୁରା ଟୁକୁରା କରି ଦେଲେ ।

 

ତାପରେ ଉଠି ଘରର ହୁକ୍‌ଟା ଖୋଲି ଦୋମହଲ ବାରଣ୍ଡାରେ ଆସି ଚାକର ପ୍ରେମାକୁ ଡାକ ପକାଇଲେ—ଚା’ ଆଣ୍‌ରେ ପ୍ରେମା ।

 

ପ୍ରେମା ଚା’ ଆଣି ଟେବୁଲ ଉପରେ ରଖିଲା । ତାପରେ ତାଙ୍କ ହାତରେ ଖଣ୍ଡେ କାଗଜ ଦେଲା । କହିଲା—ବାବୁ, ବର୍ତ୍ତମାନ ଜଣେ ଲୋକ କାଗଜ ଖଣ୍ଡକ ଆଣି ଦେଇଗଲା । କହିଲା ଯେ, ଏଇଟା କେଉଁଠି ଆପଣଙ୍କର ଜରୁରୀ ଚିଠି ।

 

ବିସ୍ମିତ ଅଲେଖ ବାବୁ କାଗଜଟା ଖୋଲି ଦେଖିଲେ ସେଥିରେ ବି ଗୋଟାଏ ଲାଲ୍‌ ଝଣ୍ଡାର ଛବି ରହିଛି । ତଳେ ଲେଖା ହୋଇଛି—

 

ନୀଳାମ୍ବର ଦାସ,

 

ଯେତେ ଚିଠି ଚିରି ନିଶ୍ଚିନ୍ତ ହେବାର ଚେଷ୍ଟା କର,ମୋର ପ୍ରାପ୍ୟ ଟଙ୍କା ପୂରାପୂରି ନ ପାଇଲେ ତୁମେ ନିସ୍ତାର ପାଉ ନାହିଁ ।

 

ଜାଣିରଖ, ତୁମର ପ୍ରତିଟି କାମ ଗତିବିଧି ଉପରେ ମୋର ଦୃଷ୍ଟି ରହିଛି ।

 

ଏମିତିକି ତୁମେ କେଉଁ ବେଶରେ କେଉଁଠି ଠିଆ ହୋଇ କଣ କରୁଚ ସେଇଟା ବି ମୁଁ ସ୍ପଷ୍ଟ ଭାବରେ ଦେଖି ପାରୁଛି ! ଏବେବି ତୁମକୁ ଶେଷଥର ପାଇଁ ସାବଧାନ କରି ଦେଉଛି, ଯଦି ମାନ ସମ୍ମାନ, ପ୍ରତିପତି, ଅର୍ଥ ନେଇ ବଞ୍ଚିବାକୁ କରୁଥାଅ ତାହେଲେ ମୋର ସାମାନ୍ୟ ଦାବୀଟା ପୂରଣ କର ।

 

ମୋର ବିରାଟ ଶକ୍ତିକୁ ଅବଜ୍ଞା କରିବା ଅର୍ଥ ନିଜର ମୃତ୍ୟୁକୁ ସ୍ୱାଗତ ଜଣେଇବା ସଙ୍ଗେ ସମାନ । ଇତି ।

 

ଲାଲ୍‌ ଝଣ୍ଡା

 

ଅଲେଖ ବାବୁ ଗର୍ଜନ କରି ଉଠିଲେ—ଯିଏ ଏ ଚିଠିଟା ଦେଇ ଗଲା ସେ କେଉଁ ଦିଗରେ ଗଲା ?

 

ଡରି ଡରି ପ୍ରେମା କହିଲା—ଜାଣେନି ଆଜ୍ଞା, ସେତ ଚିଠିଟା ଦେଇ ଖଣ୍ଡେ ସାଇକେଲ ଚଢ଼ି ସଙ୍ଗେ ସଙ୍ଗେ ଚାଲିଗଲା ।

 

ଅଲେଖ ବାବୁ ଚିତ୍କାର କରି କଣ ଯେମିତି କହିବାର ଚେଷ୍ଟା କଲେ; କିନ୍ତୁ ତାଙ୍କ ମୁହଁରୁ କୌଣସି ଶବ୍ଦ ବାହାରିଲାନି ।

 

ସଙ୍ଗେ ସଙ୍ଗେ ଗୋଟାଏ ସୋଫା ଉପରେ ଲଥ୍‌କରି ବସିପଡ଼ିଲେ । ତାଙ୍କ ଆଖି ଆଗରେ ଯେମିତି କେବଳ ଅନ୍ଧାର ଜମି ଉଠୁଛି ।

 

।। ଚାରି ।।

 

ଜନସାଥୀ ହୋଟେଲ ।

ସହରର ଦକ୍ଷିଣାଞ୍ଚଳରେ ଥିବା ଅସଂଖ୍ୟ ଗଳିକନ୍ଦିର ଗୋଲକଧନ୍ଦାରେ ବୁଲିବୁଲି ଏ ସଂକୀର୍ଣ୍ଣ ଗଳିଟା ଭିତରେ ବି ଯେ ଗୋଟାଏ ହୋଟେଲ ଥାଇପାରେ ସେଇଟା ଅନେକଙ୍କ ପାଖରେ ଗୋଟାଏ ଅଭୂତପୂର୍ବ ବିସ୍ମୟ ।

କିନ୍ତୁ ଏଇଟା ସତ ।

ଗୋଟାଏ ଶ୍ରେଣୀର ଲୋକଙ୍କ ପାଖରେ ଏ ହୋଟେଲଟା ଖୁବ୍‌ ଲୋଭନୀୟ ବାସସ୍ଥାନ । କ୍ଷୁଦ୍ର, ଅପରିସର, ପ୍ରାୟ ଅନ୍ଧାରିଆ ଗଳିର ବାସିନ୍ଦାମାନଙ୍କ ସହିତ ଏ ହୋଟେଲର ଲୋକଗୁଡ଼ିକ ବି ଯେମିତି ଅଭିନ୍ନ ଶ୍ରେଣୀଭୂକ୍ତ ।

ଅନେକ ପୁରୁଣା ଘର । ବାଲି ଚୂନର ପଲସ୍ତରା ଖସିଖସି ପଡ଼ୁଛି, ଲୁଣିଖିଆ ଇଟାଗୁଡ଼ାକ ଦାନ୍ତ ଭଳି ବାହାରି ପଡ଼ିଛି ।

ଘରଟାର ତଳମହଲାରେ ଅନେକଗୁଡ଼ାଏ ଗୋଦାମ ଆଉ ଦୋକାନ । ଉପର ମହଲାରେ ଏଇ ହୋଟେଲଟା ।

ଦୋକାନଗୁଡ଼ିକୁ ବିଶେଷ ଗରାଖ ଆସନ୍ତି ନାହିଁ—ତେବେ କେମିତି ଯେ ଏମାନଙ୍କର ଦିନ କଟେ, ସେକଥା କେହି ଜାଣନ୍ତି ନାହିଁ ।

ହୋଟେଲଟିରେ ନାନା ଶ୍ରେଣୀର ଏବଂ ବର୍ଣ୍ଣର ଗୋଟାଏ ବୈଶିଷ୍ଟ୍ୟପୂର୍ଣ୍ଣ ମିଶ୍ରଣ । ଯେମିତି ବିଭିନ୍ନ ଜାତିର ଗୋଟାଏ ପ୍ରଦର୍ଶନୀ ଏଇଟା । କିନ୍ତୁ କିଏ ଯେ କଣ କରନ୍ତି, ସେ ବିଷୟ ନେଇ କେହି କେବେ ମୁଣ୍ଡ ଖେଳାନ୍ତି ନାହିଁ ।

ଆଉ ମୁଣ୍ଡ ଖେଳାଇ ଲାଭ ବା କଣ ?

ଏ ବିରାଟ ହୋଟେଲର କେଉଁ ଗୋପନ କକ୍ଷରେ କିଏ ଯେ ବାସ କରେ ସେ ବିଷୟରେ ଧାରଣା କରିବା ବି ସାଧାରଣ ମଣିଷର ସାଧ୍ୟାତୀତ ।

ହୋଟେଲର ବାର ନମ୍ବର ଘର ।

ରାତି ସାଢ଼େ ଗୋଟାଏ ।

ସେତିକିବେଳେ ସମୟ ନିର୍ଦ୍ଦେଶକ ଘଣ୍ଟାଏ ଠନ୍‌ କରି ବାଜିଉଠିଲା । ସଙ୍ଗେ ସଙ୍ଗେ ସେ ଘରେ ଉପସ୍ଥିତ ପ୍ରାୟ କୋଡ଼ିଏ ଜଣ ଲୋକ ଉଠି ଠିଆ ହେଲେ । କାନ୍ଥ ଦେହରେ ଲାଗିଥିବା ଗୋଟାଏ ଛୋଟ କାଠ କଣ୍ଢେଇର ମଝିଟାକୁ ଜୋର୍‌ରେ ଧରି ଘୂରାଇଦେଲେ । ସାମାନ୍ୟ ଶବ୍ଦ କରି ଘର ଚଟାଣର କିଛି ଅଂଶ ଘୁଞ୍ଚିଗଲା । ଦେଖାଗଲା ଗୋଟାଏ ଲମ୍ବା ସୁଡ଼ଙ୍ଗ ରାସ୍ତା । କିନ୍ତୁ ସେଇଟା କୋଉଁଠି ଯାଇ ପହଞ୍ଚିଛି ସେ କଥା କେହି ଜାଣନ୍ତି ନାହିଁ ।

ସୁଡ଼ଙ୍ଗ ରାସ୍ତାରେ ବୁଲି ବୁଲି ଗୁଡ଼ାଏ ପାହାଚ ତଳ ଆଡ଼େ ଲମ୍ବି ଯାଇଛି । ତଳକୁ—ଆହୁରି ତଳକୁ । ବୋଧହୁଏ ପାତାଳର କୋଉ ଅତଳ ଗହ୍ୱରର ସନ୍ଧାନ ଏ ରାସ୍ତାଟା ଦେବ !

ଭୂଇଁ ତଳେ ଥିବା ଗୋଟାଏ କକ୍ଷ ପାଖରେ ରାସ୍ତାଟା ଯାଇ ଶେଷ ହୋଇଛି । ସେଠାରେ ଅନେକଗୁଡ଼ିଏ ଚେୟାର ପଡ଼ିଛି । ଜଣ ଜଣ ହୋଇ ସମସ୍ତେ ସେ ଚେୟାରଗୁଡ଼ିକରେ ବସିପଡ଼ିଲେ-

ସମସ୍ତେ ସ୍ତମ୍ଭୀତ । ବିସ୍ମୟରେ ନିର୍ବାକ । ବହୁଦିନ ପରେ ପୁଣି ସେମାନଙ୍କୁ ଡାକରା ଆସିଛି । ସେମାନଙ୍କର ଅଜ୍ଞାତବାସ ସମାପ୍ତ ହୋଇଛି । ଆଉ ଏଣେତେଣେ ବୁଲିବାକୁ ହେବ ନାହିଁ-। ନୂଆ କାମର ଆହ୍ୱାନରେ ପୁଣି ସେମାନଙ୍କୁ ମୁଖର ହେବାକୁ ପଡ଼ିବ । କିନ୍ତୁ ସେଇଟା କି ଧରଣର କାମ ?

ଏମାନଙ୍କ ମଧ୍ୟରେ ମୃଦୁ କଥାବାର୍ତ୍ତାର ଗୁଞ୍ଜନ ଉଠୁଥିଲା, କିନ୍ତୁ ତାହା ଏତେ ଧୀର ଯେ ବାହାରର କୌଣସି ଲୋକ କାନରେ ସେଇଟା ପହଞ୍ଚିବ ନାହିଁ । ଧୀର କଥାବାର୍ତ୍ତା ଶୁଣି କେବଳ ମନେ ହେଉଥିଲା ଯେ ଏମାନଙ୍କର ସ୍ଥିର ଧାରଣା—କାନ୍ଥର ବି ବୋଧହୁଏ କାନ ଅଛି ।

ଏମାନଙ୍କ ମଧ୍ୟରେ କେତେଜଣ ପୋଲିସର ଅତି ପରିଚିତ ନମ୍ବରି ଲୋକ । ଅପର ଦୁଇ ତିନି ଜଣଙ୍କ ସମ୍ବନ୍ଧରେ ପୋଲିସ ଯଦିଓ ନୀରବ, ତେବେ ଜନସାଧାରଣଙ୍କ ପାଖରେ ସେମାନେ ସନ୍ଦେହର ପାତ୍ର ।

କାନ୍ଥର ପଛ ପାଖେ ଗୋଟାଏ ସବୁଜ ସିଲ୍‌କ କନା ଉପରେ ଗୋଟିଏ ଲାଲ୍‌ ଝଣ୍ଡାର ଛବି ରହିଛି ।

ଟେଲିଫୋନ୍‌ ଆହ୍ୱାନ ଭଳି ଗୋଟାଏ ଶବ୍ଦ ଶୁଣାଗଲା ।

ପ୍ରକୃତରେ ସେଇଟା କୌଣସି ଟେଲିଫୋନ୍‌ ନୁହେଁ, ଗୋଟାଏ ଅଦ୍ଭୁତ ସଙ୍କେତ ଘଣ୍ଟିରୁ ସେ ଶବ୍ଦଟା ଶୁଣାଯାଉଥିଲା ।

ସର୍ବାଙ୍ଗ କଳାପୋଷାକରେ ଆବୃତ ଜଣେ ଲୋକ ଯେମିତି ପାତାଳ ଫୁଟେଇ ଆବିର୍ଭୂତ ହେଲା । ତାର ମୁହଁରେ ବି ଗୋଟାଏ କଳାମୁଖା ରହିଛି । ଘରର ସ୍ୱଳ୍ପ ଆଲୋକରେ ମନେ ହେଉଥିଲା ଲୋକଟିର ସାରା ଦେହ ଯେମିତି ରୋମାଞ୍ଚଦ୍ୱାରା ପ୍ରସ୍ତୁତ । ସେ ଆବହାଓ୍ୱା ମଝିରେ ସହରର ନାମଜାଦା ବଦମାସ, ଗୁଣ୍ଡା, ଖୁଣୀ ଆସାମୀଙ୍କର ଛାତି ବି ଯେମିତି ଥରିଉଠିଲା ।

ତାକୁ ସମ୍ମାନ ଦେଖାଇବା ପାଇଁ ସମସ୍ତେ ଏକସଙ୍ଗେ ଉଠି ଠିଆ ହେଲେ । ଏଇଟା କାହାରି ନିର୍ଦ୍ଦେଶ ନୁହେଁ—ଭୟ ଆଉ ଭକ୍ତି ମିଶି ସେମାନଙ୍କ ମନରେ ଏମିତି ଗୋଟାଏ ଭାବର ସୃଷ୍ଟି ହୋଇଥିଲା ଯେ ସେମାନେ ଯେମିତି ନିଜର ଅଜ୍ଞାତରେ କାମ କରି ଚାଲିଛନ୍ତି ।

କଳା ମୂର୍ତ୍ତିଟା ଧୀରେ ଧୀରେ ହାତ ହଲାଇଲା । ସମସ୍ତେ ଜଣଜଣ ହୋଇ ବସି ପଡ଼ିଲେ । ଘରର ଅବସ୍ଥା ଦେଖି ମନେ ହେଉଥିଲା ସେମାନେ ଏମିତି ନିସ୍ତବ୍‍ଧତା ଅବଲମ୍ବନ କରିଛନ୍ତି ଯେ, ସାମାନ୍ୟ ଛୁଞ୍ଚିଟାଏ ପଡ଼ିଲେ ବି ଶୁଣାଯିବ ।

ଗମ୍ଭୀର କଣ୍ଠରୁ କେତେକ କଥା ଶୁଣାଗଲା—ବନ୍ଧୁଗଣ, ଅନେକ ପରେ ମୁଁ ପୁଣି ତୁମମାନଙ୍କୁ ଡାକିଛି । ଆଗରେ ରହିଛି ନୂଆ କଥା ।

ତୁମେମାନେ ନିଜ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖି ଆଗେଇ ଚାଲିବ—ତୁମମାନଙ୍କର ସାଫଲ୍ୟ ଯେ ସୁନିଶ୍ଚିତ, ଏଥିରେ କୌଣସି ସନ୍ଦେହ ନାହିଁ । କର୍ତ୍ତବ୍ୟ ପାଳନ କଲେ ଉପଯୁକ୍ତ ପାରିଶ୍ରମିକ ପାଇବ ତାର ନିଶ୍ଚୟତା ମୁଁ ତୁମମାନଙ୍କୁ ଦେଉଛି । ତୁମେମାନେ ଜାଣ ମୋ କଥାର କୌଣସି ଦିନ ବ୍ୟତିକ୍ରମ ହୁଏ ନାହିଁ ।

ଲାଲ୍‌ ଝଣ୍ଡାର ଦଳପତି ମରିଯାଇଛି, ଏ ଧାରଣା ନେଇ ଯେଉଁମାନେ ବସିଛନ୍ତି, ସେମାନଙ୍କର ନିଦ ଭାଙ୍ଗିଯିବ ।

ତୁମେମାନେ ଜାଣ ଭାରତ ମହାସାଗରରେ ପୋଲିସ ଆଖିରେ ଧୂଳି ପକେଇବା ପାଇଁ ମୁଁ ଡିନାମାଇଟ୍‌ ସାହାଯ୍ୟରେ ଆମେରିକାନ୍‌ ଜାହାଜଟା ଧ୍ୱଂସ କରିଥିଲି । କିନ୍ତୁ ତାର ଅନେକ ଆଗରୁ ମୋର ପଳାୟନ କରିବା ପଥ ଖୋଲା ରହିଥିଲା । ମୁହଁରେ ଗ୍ୟାସମୁଖା ପିନ୍ଧି ଏଗାର ମାଇଲ ବାଟ ପହଁରି କୂଳରେ ଆସି ଉଠିଥିଲି ।

କିନ୍ତୁ ସେମାନଙ୍କ ଭୁଲ୍‌ର ଶାସ୍ତି ସେମାନେ ପାଇବେ । ସେମାନେ ମତେ ଜାଣିବେ, ଚିହ୍ନିବେ ନାହିଁ । କେବଳ ଅନନ୍ତ ମୃତ୍ୟୁକୁ ବରଣ କରିନେବେ ।

ପ୍ରଥମେ ଧ୍ୱଂସ କରିବି ଜୟନ୍ତ ପାଣିଗ୍ରାହୀ ଆଉ ତାର ସହକାରୀ ସୁଧୀରକୁ । ତାପରେ ଆସିବ ପୋଲିସ ଇନିସ୍‌ପେକ୍ଟର ନରେନ୍‌ର ପାଳି । ମୋ ବିପକ୍ଷରେ ଯେଉଁମାନେ ଆସି ଠିଆ ହେବେ, ସେମାନଙ୍କୁ ବକ୍ଷର ସଦ୍ୟ ରକ୍ତ ଦେଇ ପ୍ରାୟଶ୍ଚିତ୍ତ କରିବାକୁ ପଡ଼ିବ ।

ଦିଗ ଦିଗନ୍ତରେ ମୋର ଆତଙ୍କ ଖେଳିଯିବ । ମୂର୍ଖ ପୋଲିସଦଳ ମୋ ସନ୍ଧାନରେ ମୁଣ୍ଡ ଝାଳ ତୁଣ୍ଡରେ ମାରି କେବଳ ବୁଲି ବୁଲି ମରିବେ, ମୋର କେଶାଗ୍ର ସ୍ପର୍ଶ କରିବା କ୍ଷମତା ବି ସେମାନଙ୍କର ନାହିଁ ।

ଆଉ ମୁଁ ସେମାନଙ୍କ ପାଖରେ ବସି ସେମାନଙ୍କର ପ୍ରତିଟି କାମ ଉପରେ ତୀକ୍ଷ୍‌ଣ ଦୃଷ୍ଟି ରଖି ଆଗେଇ ଚାଲିବି । ଲାଲ୍‌ ଝଣ୍ଡା ଦଳର ନୂଆ ଅଭିଯାନ ଆରମ୍ଭ ହେବ । ତୁମେମାନେ ହେବ ମୋ ଅଭିଯାନର ସହାୟକ । କିନ୍ତୁ ସାବଧାନ ବନ୍ଧୁଗଣ, ବିଶ୍ୱାସଘାତକତାର ଶାସ୍ତି ମୁଁ ଏକମାତ୍ର ମୃତ୍ୟୁରେ ହିଁ ଦେଇଥାଏ ।

ବର୍ତ୍ତମାନ ତୁମମାନଙ୍କର କର୍ତ୍ତବ୍ୟର କଥା ଶୁଣ !

ଏହାପରେ ଯେଉଁସବୁ କଥା ସେଠାରେ ଆଲୋଚିତ ହେବାକୁ ଲାଗିଲା, ସେ ସମସ୍ତ ଶୁଣିଲେ ଯେ କୌଣସି ସଭ୍ୟ ମଣିଷର ଛାତି ଭୟରେ ଥରି ଉଠିବ । କିନ୍ତୁ ଏମାନେ ନିର୍ବିକାର ହୋଇ ବସି ସବୁ ଶୁଣିଯିବାକୁ ଲାଗିଲେ ।

ଗଭୀର ରାତିର ଗାଢ଼ ଅନ୍ଧକାର ଅବଗୁଣ୍ଠନତଳେ ଏଇ ଭୀଷଣ, ହୃଦ୍‌କମ୍ପକାରୀ ଦୃଶ୍ୟଗୁଡ଼ାକ ଲୁଚି ରହିଲା ।

 

।। ପାଞ୍ଚ ।।

 

ବିଖ୍ୟାତ ପ୍ରାଇଭେଟ ଡିଟେକଟିଭ୍‍ ଜୟନ୍ତ ପାଣିଗ୍ରାହୀ ତାର ବୈଠକ ଘରେ ବସି ସହକାରୀ ସୁଧୀର ସଙ୍ଗେ କଥାବାର୍ତ୍ତା ହେଉଥିଲା ।

 

ସୁଧିୀର କହିଲା—ଜୟନ୍ତ, ଆଜିପର୍ଯ୍ୟନ୍ତ ତୁ ଯେତଟା କେସ୍‌ରେ ହାତ ଦେଇଛୁ, ପ୍ରାୟ ପ୍ରତ୍ୟେକଟାରେ ସଫଳତା ଲାଭ କରିବାରୁ ସମସ୍ତଙ୍କର ନିଶ୍ଚିନ୍ତ ଧାରଣା ଯେ, ତୁ ହାତ ଦେଲେ ଯେକୌଣସି ସମସ୍ୟା ଦିଗ ଦେଇ ସବୁ କୌଶଳ ଜାଲ ଛିଣ୍ଡେଇ ପଳେଇଗଲା ପ୍ରକୃତରେ ସେଇଟା ଭାବିବାର କଥା ।

 

ଜୟନ୍ତ ହସିଦେଇ କହିଲା—ଧାରଣା ଉପରେ କାମ ସବୁକ୍ଷେତ୍ରରେ ସୁବିଧାଜନକ ହୋଇ ନ ପାରେ । ଦୀର୍ଘଦିନ ପରେ ସେ ଯେ ଏଠାରେ ଆସି ତାଣ୍ଡବ ରଚନା କରିବା ଏଇଟା ବାସ୍ତବିକ ଅଭାବିତ । ଆକାଶରେ ସେ ହାଇଡ଼୍ରୋଜେନ ପୂର୍ଣ୍ଣ କେତେଟା ବେଲୁନ୍‌ ଉଡ଼େଇ ପରସ୍ପର ସହିତ ସେ ସଂଯୋଗ ସୂତ୍ର ସ୍ଥାପନ କରେ, ପ୍ରତ୍ୟେକଟି ବେଲୁନ୍‌ ଦେହରେ ଇଲେକ୍‌ଟ୍ରିକ ବଲବ ରଖାଯାଇ ଆକାଶରେ ଛଡ଼ାଯାଏ । ତା ଦେହରେ ବ୍ୟାଟେରି ରଖାଯାଇଥାଏ । ପ୍ରକୃତରେ ମୁଁ ତା ବିଷୟରେ ଯେତେବେଳେ ଚିନ୍ତା କରେ ସେତେବେଳେ ଭାବେ ଲୋକଟାର କି ଅଦ୍ଭୁତ କ୍ଷମତା, କି ଚିନ୍ତାଶୀଳ ମସ୍ତିଷ୍କ । ସମସ୍ତଙ୍କୁ ଜଣେଇ, ସମସ୍ତଙ୍କ ମନରେ ଗୋଟାଏ ଅଦମ୍ୟ କୌତୂହଳ ଏବଂ ଭୟ ସଞ୍ଚାର କରି ହଠାତ୍‌ ଯେମିତି ଧୂମକେତୁ ଭଳି ଆସି ଆବିର୍ଭାବ ହେଲା । ମନେ ହେଉଛି ପ୍ରକୃତରେ ମୁଁ ଯେମିତି ଜଣେ ଯୋଗ୍ୟ ପ୍ରତିଦ୍ୱନ୍ଦୀ ପାଇଛି ।

 

ସୁଧୀର କହିଲା—ଆବିର୍ଭାବ ତ ହେଲା ସତ, କିନ୍ତୁ ଏ ପର୍ଯ୍ୟନ୍ତ ତାର ଅଭିଯାନର କୌଣସି ପ୍ରମାଣ ତ ମିଳୁ ନାହିଁ ।

 

ଜୟନ୍ତ କହିଲା—ବ୍ୟସ୍ତ ହେବା ଦରକାର ନାହିଁ । ଥରେ ଯେତେବେଳେ ତାର ପ୍ରମାଣ ପାଇବୁ ସେତେବେଳେ ଛାନିଆ ହୋଇ କେବଳ ଭାବୁଥିବୁ କି ଉପାୟରେ ଏଥିରୁ ରକ୍ଷା ମିଳିବ ! ପୂର୍ବଥରର କୀର୍ତ୍ତି କାହାଣୀଗୁଡ଼ାକ ଏତେଶୀଘ୍ର ବୋଧହୁଏ ଭୁଲିଯାଇ ନଥିବୁ ।

 

ତା କଥା ମଝିରେ ବାହାରେ ପାଦଶବ୍ଦ ଶୁଣାଗଲା । ଜୟନ୍ତ ସୁଧୀର ଆଡ଼େ ଚାହିଁ କହିଲା—ଅଚିହ୍ନା ପାଦଶବ୍ଦ ଭଳି ମନେ ହେଉଛି । ବୋଧହୁଏ କୌଣସି ନୂଆ ବନ୍ଧୁ ଆସିଛନ୍ତି ।

 

ତା କଥାର ସତ୍ୟତା ପ୍ରମାଣ କରି ଘରଭିତରକୁ ଜଣେ ଅଜଣା ଭଦ୍ରଲୋକ ପଶିଆସିଲେ । ମୁଣ୍ଡ ଚନ୍ଦରା ଧରିଆସୁଛି, ଦାମୀକା ପୋଷାକ ପିନ୍ଧିଛନ୍ତି, ମୁହଁରେ ଲାଗିରହିଛି ବ୍ୟସ୍ତତାର ଛାପ । ରୂପ ଦେଖି ଖୁବ୍‌ ଆଭିଜାତ୍ୟ ବୋଲି ମନେ ହୁଏ ।

 

ଜୟନ୍ତ ଆଉ ସୁଧୀର ମୁହଁ ଉଠେଇ କିଛି କହିବା ଆଗରୁ ଆଗନ୍ତୁକ ଭଦ୍ରଲୋକ ବ୍ୟସ୍ତ ହୋଇ କହିଉଠିଲେ—ମତେ ଆପଣ ଚିହ୍ନି ପାରିବେନି ପାଣିଗ୍ରାହୀ ବାବୁ । ତେବେ ପରିଚୟ ଦେଲେ ହୁଏତ ଚିହ୍ନିପାରନ୍ତି । ମୋ ନାମ ଅଲେଖ ବିହାରୀ ଧଳ ।

 

ହସିଦେଇ ଜୟନ୍ତ କହିଲା—ହଁ, ମନେପଡ଼ିଲା । ଆପଣଙ୍କର ନାମ ଆଗରୁ ଶୁଣିଛି । ଆପଣ ବୋଧହୁଏ ସୁଜନପଡ଼ାରେ ରହନ୍ତି, ନୁହେଁ ?

 

ଭଦ୍ରଲୋକ ବି ହସିଦେଇ କହିଲେ—ଦେଖୁଛି ମନେ ରଖିଛନ୍ତି । ଆଶ୍ଚର୍ଯ୍ୟ କଥା, ମୋ ଭଳି ସାମାନ୍ୟ ଲୋକକୁ ବି ଆପଣ ଜାଣନ୍ତି !

 

ଜୟନ୍ତ କହିଲା—ଆଶ୍ଚର୍ଯ୍ୟ ଆଉ କଣ ! ଅନେକ ଉପରମହଲରେ ଆପଣଙ୍କର ନାମ ଅଛି । କିନ୍ତୁ ଦେଖିଲେ ମନେ ହେଉଛି ଯେ ଆପଣ କୌଣସି କାରଣରୁ ଖୁବ୍‌ ବିଚଳିତ ହୋଇ ଉଠିଛନ୍ତି । ତା’ଛଡ଼ା କେବେହେଲେ ମୋ ଭଳି ଗୋଟାଏ ଲୋକର ଘରେ ଆପଣଙ୍କ ଭଳି ବିଖ୍ୟାତ ବ୍ୟକ୍ତିଙ୍କର ପଦାର୍ପଣ ହେବ ନାହିଁ ସେକଥା ଜାଣେ । ବର୍ତ୍ତମାନ ଯଦି ଟିକିଏ ଦମ୍ଭ ହୋଇ ଧୀରେ ସୁସ୍ଥେ ଆସିବାର କାରଣଟା ଜଣାନ୍ତି ତାହାଲେ ବାଧିତ ହେବି । ଅବଶ୍ୟ ଆପଣଙ୍କୁ ସାହାଯ୍ୟ କରିପାରିବି କି ନାହିଁ ସେଇଟା ଅନେକଟା କାରଣ ଉପରେ ନିର୍ଭର କରୁଛି ।

 

ଟିକିଏ ଚୁପ ରହି ଜୟନ୍ତ ପୁଣି କହିଲା—ଦେଖନ୍ତୁ, ପାରିଶ୍ରମିକର ଲୋଭ ଦେଖାଇ ମତେ ଯଦି କାମରେ ଲଗେଇବା କଥା ଭାବିଥାଆନ୍ତି ତା ହାଲେ କହିବି ଆପଣ ଭୁଲ୍‌ ବୁଝିଛନ୍ତି ଧଳ ବାବୁ । ସତ କହିବାକୁ ଗଲେ ମୁଁ ଜଣେ ରହସ୍ୟାନୁସନ୍ଧାନୀ । ଛୋଟ ଛୋଟ ଚୋରୀ ଜାଲିଆତିରେ ମୁଣ୍ଡ ଖେଳାଇବା ମୋର ପେଶା ନୁହେଁ । କୌଣସି ବଡ଼ ଧରଣର ଅପରାଧ ଯେଉଁଠି ଅନୁଷ୍ଠିତ ହୁଏ କିମ୍ବା ହେବାର ଉପକ୍ରମ ହୁଏ, ମୁଁ ନିଜେ ସେ କ୍ଷେତ୍ରରେ ବାହାରି ପଡ଼ିଥାଏ ।

 

ଛାଡ଼ନ୍ତୁ; ଆପଣଙ୍କର କଣ କହିବାର ଅଛି, ସଂକ୍ଷେପରେ କହନ୍ତୁ ।

 

ଅଲେଖ ବାବୁ ହସିହସି କହିଲେ—ଆପଣ ଠିକ୍‌ କଥା କହିଛନ୍ତି । ଏତେଦିନ ହେଲା କେବଳ ଆପଣଙ୍କର ନାମ ଶୁଣିଛି, ଆଜି ସାକ୍ଷାତ୍‌ ପରଚିୟ ହେଲା । ପ୍ରକୃତରେ ଏତେ ଯୋଗ୍ୟ ଲୋକର ଉପଯୁକ୍ତ କଥା । ବର୍ତ୍ତମାନ ସଂକ୍ଷେପରେ ମୋ କଥାଟା ଶୁଣନ୍ତୁ—ମନେହୁଏ ଶୁଣିଲା ପରେ ବୋଧହୁଏ ସେଇଟା ଆଉ ଛାଡ଼ିବା କଥା କହିବେ ନାହିଁ ।

 

ଜୟନ୍ତର ଯେ କିଛିଟା କୌତୂହଳ ହେଉ ନଥିଲା ତା ନୁହେଁ, ଧୀରେ ଧୀରେ ସେ କହିଲା–କହନ୍ତୁ,ଶୁଣେ ।

 

ଅଲେଖ ବାବୁ କହିବାକୁ ଆରମ୍ଭ କଲେ—ଘଟଣାଟା ତିନି ଦିନ ତଳର କଥା । ସେଦିନ ସକାଳୁ ଅନେକଗୁଡ଼ିଏ ଚିଠି ଘାଣ୍ଟୁ ଘାଣ୍ଟୁ ଖଣ୍ଡେ ଚିଠି ପାଇଲି । ମୋଟା ଲଫାପାଟାର ଗୋଟାଏ କୋଣରେ ଲାଲ୍‌ ଝଣ୍ଡାର ଚିତ୍ରଟିଏ ଥିଲା । ନାଆଁଟା ମୁଁ ଆଗରୁ ଶୁଣିଚି ସତ, ତେବେ ପ୍ରଥମ କରି ସେଦିନ ତାର ଚିଠି ପାଇଲି ।

 

ଲାଲ୍‌ ଝଣ୍ଡା । ଜୟନ୍ତ ଆଉ ସୁଧୀର ଯେମିତି କୌତୂହଳୀ ହୋଇ ଉଠିଲେ । ଅଲେଖ ବାବୁଙ୍କ କଥାରେ ସେମାନଙ୍କର ମନୋଯୋଗ ନିବଦ୍ଧ ହେଲା । ଜୟନ୍ତ ଆଗ୍ରହର ସହିତ ପଚାରିଲା–ତାପରେ ?

 

ଅଲେଖ ବାବୁ ପୁଣି ତାଙ୍କ କଥା ଆରମ୍ଭ କଲେ—ଚିଠିଟାରେ ନୂତନତ୍ୱ କିଛି ନଥିଲା, ସାଧାରଣ ଭୟ ଦେଖାଇ ଟଙ୍କା ଆଦାୟ କରିବାର ଫିକର । ତେବେ ଏତେ ସହଜରେ ଭୟପାଇବା ଲୋକ ମୁଁ ନୁହେଁ । ତେଣୁ ତାର ବିଶେଷ କିଛି ସୁବିଧା ହେଲାନି । ମୁଁ ବି ଚିଠିଟାକୁ ଚିରି ପକେଇ ଦେଇ ନିଶ୍ଚିନ୍ତ ହେଲି । ଭାବିଲି ଭୟ ଦେଖାଇ ଏଇଟା କେହି ନିଶ୍ଚୟ ଲେଖିଛି । ସେ ବିଷୟରେ ଆଉ ମୁଣ୍ଡ ଖେଳାଇଲିନି ।

 

ତାପରର ଘଟଣା କାଲି ରାତିରେ ଘଟିଲା । ରାତିର ଖାଇବା ପିଇବା ଶେଷ କରି ମୁଁ ବାହାର ବାରଣ୍ଡାରେ ଟିକିଏ ବୁଲାବୁଲି କରେ । ଏଇଟା ମୋର ଅନେକ ଦିନର ଅଭ୍ୟାସ । କାଲିବି ମୁଁ ସେମିତି ରାତି ସାଢ଼େ ନଅଟାରେ ଖାଇବା ପିଇବା ଶେଷ କରି ବୁଲିଥିଲି ।

 

ଶୀତ ଦିନ, ତେଣୁ ମୋ ଦେହରେ ଗରମ ରାତିପୋଷାକ ଆଉ ମୁଣ୍ଡରେ ଫେଳ୍‌ଟକ୍ୟାପ ଥିଲା । ହଠାତ୍‌ ଗୋଟାଏ ରିଭଲ୍‌ଭରର ପ୍ରଚଣ୍ଡ ଗର୍ଜନ ଶୁଣି ଚମକି ପଡ଼ିଲି । ଭୟ ପାଇ ଚୁପ୍‌ଚାପ ବସିପଡ଼ିଲି । ଦେଖିଲି ଜଣେ ଲୋକ ସେପାଖରେ ରେଲିଂରୁ ତଳକୁ ଡେଇଁ ପଡ଼ି ରାସ୍ତା ଉପରକୁ ଉଠିଗଲା । ତାର ଦେହସାରା କଳା ପୋଷାକ ଥିବାରୁ ତାକୁ ଚିହ୍ନି ପାରିଲି ନାହିଁ ।

 

ତାପରେ ହଠାତ୍ କ୍ୟାପ୍‌ଟାରେ ହାତମାରି ଦେଖିଲି ଗୁଳିଟା ଟୋପି ଫୁଟେଇ ଚାଲିଯାଇଛି । ସାମାନ୍ୟ ବ୍ୟବଧାନ ଯୋଗୁ ଯେ ମୁଣ୍ଡଟା ରକ୍ଷା ପାଇଗଲା ଏଇଟା ମୋର ଖୁବ୍‌ ସୌଭାଗ୍ୟ କହିବାକୁ ହେବ ।

 

ବଦମାସର ପ୍ରଥମ ଉଦ୍ୟମ ହୁଏତ ବ୍ୟର୍ଥ ହୋଇଛି; କିନ୍ତୁ ଏହା ପରେ ବି ସେ ମୋ ଉପରେ ନୂଆ ଆକ୍ରମଣ ଚଳେଇପାରେ । ତେଣୁ ସାହାଯ୍ୟ ଆଶାରେ ଆପଣଙ୍କର ଶରଣାପନ୍ନ ହୋଇଛି ପାଣିଗ୍ରାହୀ ବାବୁ । ଆଶାକରେ ଆପଣ ମୋର ଅନୁରୋଧ ନିଶ୍ଚୟ ରକ୍ଷା କରିବେ

 

ଜୟନ୍ତ କୌଣସି କଥା ନକହି ଅକସ୍ମାତ ଡ୍ରୟରରୁ ରିଭଲ୍‌ଭରଟା କାଢ଼ିଆଣି ଝରକା ଆଡ଼େ ଲକ୍ଷ୍ୟ କରି ତିନି ଥର ଗୁଳି ଚଳେଇଲା । ଠିକ୍‌ ଝରକା ବାହାରେ ଧପ୍‌କରି ଗୋଟାଏ ଶବ୍ଦ ଶୁଣାଗଲା ।

 

ତିନିଜଣଯାକ ବାହାରକୁ ଧାଇଁ ଆସି ଦେଖିଲେ ଗୋଟାଏ ଲୋକ ସାଇକେଲ, ଚଢ଼ି ଅନେକ ଦୂର ପଳେଇ ଗଲାଣି । ସୁଧୀର ବ୍ୟସ୍ତହୋଇ ଜୟନ୍ତକୁ କହିଲା—ଲୋକଟାକୁ ଅନୁସରଣ କରିବି ନା କଣ ?

 

ଜୟନ୍ତ ହସି ଦେଇ କହିଲା—ନା ଥାଉ । ଏସବୁ ଚୁନାଚିଙ୍ଗୁଡ଼ିଙ୍କ ବିଷୟରେ ମୁଣ୍ଡ ଖେଳାଇ କୌଣସି ଲାଭ ନାହିଁ ।

 

ତାପରେ ଘର ଭିତରକୁ ଆସି ଅଲେଖ ବାବୁଙ୍କୁ ଲକ୍ଷ୍ୟ କରି କହିଲା—ଆପଣଙ୍କ ଅନୁରୋଧ ମୁଁ ରଖିଲି ଧଳବାବୁ । ଲାଲ୍‌ ଝଣ୍ଡା ସହିତ ମୋର ସଂଘାତ ଆରମ୍ଭ ହେଲା, ଜାଣେନି ୟାର ଶେଷ କେଉଁଠି ।

 

ଅଲେଖ ବାବୁ ଉଚ୍ଛ୍ୱସିତ ହସର ସହିତ କହିଲେ—ଅଶେଷ ଧନ୍ୟବାଦ ପାଣିଗ୍ରାହୀ ବାବୁ । ସେଥିପାଇଁ ତ ପୋଲିସର ସାହାଯ୍ୟ ନ ନେଇ ଆପଣଙ୍କ ପାଖକୁ ଧାଇଁ ଆସିଛି । କାରଣ ମୁଁ ଜାଣେ ଯେ ପୋଲିସ ଅପେକ୍ଷା ଆପଣ ବେଶି କର୍ମକ୍ଷମ । ଆଉ ଆପଣ କାମରେ ହାତ ଦେଲେ ସେଇଟା ଲାଲ୍‌ ଝଣ୍ଡା ଦଳପତି ନଜରରେ ପଡ଼ିବନି ।

 

ଜୟନ୍ତ ଟିକିଏ ରହି କହିଲା—କିନ୍ତୁ ମୋର ବନ୍ଧୁମାନଙ୍କର ନଜର ଅନେକ ଆଗରୁ ପଡ଼ିବାର ଦେଖୁଛି । ଏମାନଙ୍କ ଦୃଷ୍ଟି ଅନ୍ତରାଳରେ ରହିବା ପ୍ରକୃତରେ କଷ୍ଟ ସାଧ୍ୟ ।

 

ସେତିକିବେଳେ ଟେଲିଫୋନ୍‌ଟା ଝଣ୍‌ଝଣ୍‌ କରି ଉଠିଲା ।

 

ଶୁଣାଗଲା ପରିଚିତ ଏବଂ ବହୁଶ୍ରୂତ କଣ୍ଠସ୍ୱର—ହଁ ବନ୍ଧୁ, ତୁମେ ଠିକ୍‌ କଥା କହିଚ । ମୋ ଦୃଷ୍ଟି ଆଢ଼ୁଆଳରେ ରହିବା ବାସ୍ତବିକ କଷ୍ଟସାଧ୍ୟ । ତୁମେ ଧଳବାବୁଙ୍କର ଅନୁରୋଧ ରକ୍ଷା କରିଚ ଜାଣି ଖୁସିହେଲି । କିନ୍ତୁ ମୋର ସାମାନ୍ୟ ଜଣେ ଅନୁଚରକୁ ଭୟ ଦେଖାଇଲେ କଣ ହେବ, ମୋର ଅନୁଚରମାନେ ଚାରିଆଡ଼େ ବ୍ୟାପି ରହିଛନ୍ତି । ମତେ ଆଉ କଣ ଭୟ ଦେଖାଇବ ? ମୋ ଶକ୍ତି ପାଖରେ ତୁମେ ଯେ କେତେ ତୁଚ୍ଛ, କେତେ କ୍ଷୁଦ୍ର ସେଇଟାତ ବୁଝିପାରୁଛ ! ଠିକ୍‌ ଆଉ ତିନୋଟି ଦିନ ତୁମେ ଆଉ ତୁମର ସହକାରୀ ସୁଧୀର ପୃଥିବୀର ଆଲୋକ—ପବନ ଉପଭୋଗ କରିବ ।

 

ତାପରେ ତୁମ ଦୁହିଁଙ୍କର ଶାସ୍ତି ଘନେଇ ଆସିବ । ମାନେ ମୋର ମୃତ୍ୟୁ ଗହ୍ୱର ବିଶାଳ ମୁଖ ବିସ୍ତାର କରି ତାର ଗର୍ଭକୁ ଟାଣିନେବ । ତାପରେ ମୃତ୍ୟୁ ଲୋକରେ ଯାଇ ଗୋଏନ୍ଦାଗିରି କର-। ଖୁବ୍‌ ମଜା ହେବ । ଲାଲ୍‌ ଝଣ୍ଡା ଦଳପତି କୌଣସି ଦିନ ତା କଥାରେ ଅବହେଳା କରେ ନାହିଁ-

 

ତାପରେ ଶୁଣାଗଲା ଅବଜ୍ଞାର ହସ ।

 

ଜୟନ୍ତ ପାଣିଗ୍ରାହୀ ଦାନ୍ତରେ ଦାନ୍ତ ରଗଡ଼ି କହିଲା—ଦେଖିବି ସେ ବଦମାସ୍‌ର କେତେ କ୍ଷମତା । ଅପରାଧୀ ଯେ ସବୁଦିନେ ଆଲୋକ ଅନ୍ତରାଳରେ ରହିପାରେନି, ଏଇଟା ମୁଁ ତାକୁ ଦେଖାଇ ଦେବି ।

 

।। ଛଅ ।।

 

ସଦେଇ ବେହେରା ଚା ଦୋକାନଟା ଛୋଟିଆ ହେଲେ ବି ଆୟରେ ସେଥିରୁ କମ୍‌ ହେଉନି ସେଇଟା ତାର କ୍ରମ ବର୍ଦ୍ଧମାନ ସ୍ଫୀତ କାୟରୂପ ଉପରେ ଆଖି ବୁଲେଇଲେ ଭଲ ଭାବରେ ଜଣାପଡ଼େ ।

 

ଦୋକାନରେ ଧାଡ଼ି ଧାଡ଼ି ହୋଇ ପଡ଼ିଥିବା କାଠ ବେଞ୍ଚଗୁଡ଼ିକ ଅପରିଷ୍କାର ।

 

ମାତ୍ର ଦୁଇଖଣ୍ଡ ଚେୟାର—ବୋଧହୁଏ କୌଣସି ଦି’ଜଣ ସମ୍ଭ୍ରାନ୍ତଙ୍କ ପାଦଧୂଳି ପଡ଼ିଲେ ସେମାନଙ୍କୁ ଅଭ୍ୟର୍ଥନା ଜଣେଇବା ଆଶାରେ ରହିଛି । କିନ୍ତୁ ସେଗୁଡ଼ିକ ବି ନିଖୁଣ ନୁହେଁ ।

 

ଅଥଚ ଦୋକାନରୁ ଆୟ ହେଉଥିବା ପଇସା ଯେ ସେ ଅସତ୍‌ ମାର୍ଗରେ ବ୍ୟୟ କରେନି ସେଇଟା ବି ନିଶ୍ଚିତ । ଲୋକଙ୍କର ଧାରଣା ସଦେଇ ବେହେରା ଗୋଟାଏ ମସ୍ତବଡ଼ କୃପଣ—ମରିଗଲେ ବୋଧହୁଏ ଯଖ ହୋଇ ତାର ସଞ୍ଚିତ ଟଙ୍କା ପଇସା ଜଗିବସିବ ।

 

ସକାଳ ଓଳି ବିଶେଷ ଗରାଖ ହେବାର ଦେଖାଯାଏନି । ତେବେ ଯେଉଁ କେତେଜଣ ଗରାଖ ସଦେଇ ବେହେରା ଦୋକାନରେ ନିୟମିତ ହାଜିରା ଦିଅନ୍ତି ସେ ସମସ୍ତଙ୍କୁ ଖୁବ୍‌ ଭଲଭାବରେ ଚିହ୍ନେ । କିନ୍ତୁ ଏତେ ସକାଳୁ ଜଣେ ଭଦ୍ରଲୋକଙ୍କୁ ଗୋଟାଏ କୋଣରେ ବସି ନିବିଷ୍ଟ ମନରେ ଚା’ ପିଉଥିବାର ଦେଖି ତାଙ୍କପ୍ରତି ବିଶେଷ ସୁନଜର ଦେଲାନି । ସାଧାରଣତ ଏଧରଣର ଭଦ୍ରବାବୁମାନେ କେବେହେଲେ ଏତେ ସକାଳୁ ଦୋକାନରେ ଚା’ ପିଇବାକୁ ଆସନ୍ତି ନାହିଁ । ଆଠଟା ଆଗରୁ ସେମାନଙ୍କର ନିଦ ଭାଙ୍ଗେନି ।

 

ଏପଟେ କେତେ ଜଣ ଗରାଖ ନିଶ୍ଚିନ୍ତ ମନରେ ବସିଛନ୍ତି । ଏମାନଙ୍କୁ ସଦେଇ ବେହେରା ଚିହ୍ନେ । ସେମାନଙ୍କ ମଧ୍ୟରୁ ଜଣେ ଏବେ ପୂରା ଚାରି ବର୍ଷ ଘଣା ପେଲି ଦେଢ଼ ମାସ ହେଲା ଜେଲରୁ ଫେରିଛି । ତାର ନାମ ବାସୁଆ ।

 

ଖଣ୍ଡେ ମଇଳା ପାଇଜାମା ଆଉ ସାତ ତାଳିପକା ଦର ମଇଳା ଅଧା ସାର୍ଟ, ସାର୍ଟ ଉପରେ ଅତିମଇଳା ସୂତାର ଜହର ଫତେଇ ଖଣ୍ଡେ ପିନ୍ଧି ଶୀତରୁ ରକ୍ଷା ପାଇବା ଚେଷ୍ଟା କରୁଛି । ମନକୁ ମନ ସେ ଯେମିତି ଭାବରେ ବସି ଚା’ ପିଉଛି ସେଇଟା ଦେଖିଲେ ମନେହେବ କୌଣସି ନବାବ୍‌ ବୋଧହୁଏ ବସିଛନ୍ତି ।

 

ତାର କିଛିଟା ବାମପଟରୁ ଯେଉଁ ଦୁଇ ଜଣ ଫୁସ୍‌ଫାସ୍‌ କଥାବାର୍ତ୍ତା ହେଉ ହେଉ ଚା’ ପିଉଛନ୍ତି, ଆଉ ମଝିରେ ମଝିରେ ଏଆଡ଼େ ସେଆଡ଼େ ଦୃଷ୍ଟି ବୁଲେଇ ନେଉଚନ୍ତି ସେ ଦୁହେଁ ସଦେଇ ବେହେରାର ଧରାବନ୍ଧା ଗରାଖ । ଜଣେ ଜମିର ଖାଁ ଆଉ ଜଣେ ଫକୀର ସିଂ । ଏ ଦୁହିଁଙ୍କୁ ସଦେଇ ବେହେରା ଟିକିଏ ଖାତିର କରେ । ସେମାନଙ୍କ ସମ୍ବନ୍ଧରେ ତା ମନରେ କେମିତି ଗୋଟାଏ ଭାବ ଯୋଉଟାକି ଠିକ୍‌ ବୁଝି ହୁଏନି, ତେବେ ସେଇଟା ଟିକିଏ ଭୟଙ୍କର ଧରଣର କିଛି ହେବ ।

 

ଜମିର ଖାଁ ମୁଣ୍ଡରେ କୁଞ୍ଚୁକୁଞ୍ଚିଆବାଳ । ଖୁବ୍‌ ଜବରଦସ୍ତ ମଣିଷ । ପୋଷାକ ସାଧାରଣ–ଡୋରିଆ ପାଇଜାମା, ଚୁଡ଼ିଦାର ଉପରେ ଖଣ୍ଡେ କଳା ରେଗେଡ଼ା ସ୍ୱେଟର-। ବେକରେ କଳାସୂତା ସାହାଯ୍ୟରେ ଗୋଟାଏ ରୂପାର ଚତକି ଝୁଲୁଚି । ମୁହଁରୁ ଜଣାପଡ଼ୁଛି ସଦାବେଳେ ସେ ଯେମିତି ତ୍ରସ୍ତ ।

 

ଫକୀର ସିଂ ଆଡ଼େ ନଜର ଦେଲେ ହଠାତ୍‌ ମନେ ହେବ କୌଣସି କୁସ୍ତି ଖେଳାଳୀ କିମ୍ବା ପହିଲ୍‌ମାନ ବସିଛି । ବାଘ ଭଳି ବିରାଟ ଗୋଲ ମୁହଁ । ଦେହ ବି ଖୁବ୍‌ ଲମ୍ବା ଚଉଡ଼ା ବେକ ସଙ୍ଗେ ମୁଣ୍ଡ ମିଶି ଏକାଠି ହୋଇ ଯାଇଛି ।

 

ଏ ଦୁହେଁ ନିଜ ଭିତରେ ଯାହାସବୁ କଥାବାର୍ତ୍ତା ହେଉଥିଲେ ତା ମଧ୍ୟରୁ ପଦେ ଅଧେ ନିଜର ଅଜ୍ଞାତରେ ଜୋର୍‌ରେ ଉଚ୍ଚାରିତ ହୋଇ ପଡ଼ୁଥିଲା । ତାପରେ ପୁଣି ସତର୍କ ହୋଇ ଧୀରେ ଧୀରେ କଥାବାର୍ତ୍ତା ହେଉଥିଲେ । ତାଙ୍କର ଇଚ୍ଛା ବାହାରର କେହି ତାଙ୍କ କଥାର ଗୋଟାଏ ଅକ୍ଷର ବି ଶୁଣି ନପାରୁ ।

 

କିଛି ସମୟ ପରେ ହଠାତ୍‌ ବାସୁଆ ଉଠି ଠିଆ ହେଲା । ତାପରେ କୌଣସି ଆଡ଼େ ଦୃଷ୍ଟି ନଦେଇ ସିଧା ଦ୍ୱାର ଆଡ଼େ ଆଗେଇଲା ।

 

ସଦେଇ ବେହେରା ଡାକିଲା—ଟିକିଏ ଶୁଣିବକି ବାବୁ !

 

ବାସୁଆ କଣେଇ କରି ସଦେଇ ବେହେରା ଆଡ଼େ ଥରେ ଚାହିଁଲା । ତାପରେ ମୁହଁଟା ସାମାନ୍ୟ ଗମ୍ଭୀର କରି କହିଲା—ମତେ କିଛି କହିବ ନା କ’ଣ ?

 

ସଦେଇ ବେହେରା ତାର ଚଞ୍ଚ୍ଥା ସ୍ୱରରେ କହିଲା—ହଁ ହଁ ବାବୁ ସାହେବଙ୍କୁ କହିବି ! ନବାବ୍‌ଙ୍କ ପୁଅଭଳି ତ ପ୍ରତିଦିନ ଦି’ଓଳି ଆସି ଦି’ଗିଲାସ ଚାହା ପକେଇ ଦେଇ ଯାଉଛ । କିନ୍ତୁ ଏଣେଯେ ତିନି ଟଙ୍କା ବାକି ହେଲାଣି ସେତକ ଦବାର ତ ନାଆଁ ଧରୁନି । ବାକିଟଙ୍କା ନ ଦେଲେ ଆଜି ଆଉ ଦୋକାନ ତଳକୁ ଓହ୍ଲାଇ ପାରିବନି । ଏମିତି କେତେ ଲୋକଙ୍କ ବେକରେ ଗାମୁଛା ପକେଇ ସଦେଇ ବେହେରା ଟଙ୍କା ଆଦାୟ କରିଛି ।

 

ବାସୁଆ ଆଖି ଦୁଇଟା ନିଆଁଭଳି ଡହକି ଉଠିଲା । ସେ କହିଲା—ତୁମକୁ ତ ଅନେକ ଥର କହିଛି ଯେ ପଇସା ପତ୍ର ହାତକୁ ଆସୁ ତୁଟେଇ ଦେବି । ଏତେଗୁଡ଼ାଏ ଲୋକଙ୍କ ଆଗରେ ଏମିତି ଅପମାନ ନଦେଲେ କଣ ଚଳି ନଥାନ୍ତା ?

 

ଗଳାର ସ୍ୱର ଏଥର ଆଉ ଟିକିଏ ଚଢ଼େଇ ସଦେଇ ବେହେରା କହିଲା—ଆହାରେ ମୋର କିଲଟର ସାଇବ ! ଦେହରେ ଫୋଟକା ହେଇଗଲା ପରା ! ପଚାରୁଚି ଟଙ୍କାର ଯୋଗାଡ଼ କରି ନ ପାରିବତ ଦି’ ଓଳି ପତର ଚାଟିବାକୁ ଆସୁଚ କାହିଁକି ? ଓଳିଏ ତ ଚାହାରୁ ଟିକିଏ ଚିନି କମିଗଲେ କଥାରେ ବାଟୁଳି ବାଜୁନି । ପଚାରୁଚି ଟଙ୍କାଗୁଡ଼ାକ କଣ ଗୁଡ଼ ମୁଆଁ ହେଇିଚ ଯେ ଗୁଳୁଗୁଳୁ କରି ଗଳିପଡ଼ିବ । କାମ ଦାମ କିଛି ନ କଲେ ଟଙ୍କା କୋଉଠୁ ଆସିବ । କଣ, ପୁଣି ସେଇ ପୁରୁଣା ବ୍ୟବସାୟ ଧରିବାକୁ ଇଚ୍ଛା ଅଛି ନା କ’ଣ !

 

ରାଗ ଆଉ ଅପମାନରେ ବାସୁଆ ଯେମିତି ଠକ ଠକ ହୋଇ ଥରୁଥିଲା । ତାର ମନେ ହେଉଥିଲା ବର୍ତ୍ତମାନ ଧାଇଁ ଯାଇ ଚୋଠା ଦୋକାନୀ ତଣ୍ଟିଟାକୁ ଚିପି ଧରିବ !

 

ରାଗରେ ଅଗ୍ନିଶର୍ମା ହେଲେ ବି ତା ମୁହଁରୁ କେବଳ ଦୁଇ ପଦ କଥା ଶୁଣାଗଲା—ଯାହା ପାରୁଚ କର, ତୁମକୁ ମୁଁ ପଇସାଟାଏ ବି ଦେବିନି । ଗାଳି ମନ୍ଦ ଦେଇ ପଇସା ଆଦାୟ ହୁଏନି । ଯଦି କ୍ଷମା ମାଗିବ, ତାହାଲେ ଯୋଗାଡ଼ କରି ଦେବି, ତା ଆଗରୁ ନୁହେଁ ।

 

ସଦେଇ ବେହେରା ରାଗିଉଠି କହିଲା—ଆଗେ ପଇସା ପକା ତାପରେ ଅନ୍ୟକଥା । ଏଠି ଥାତି ଥୁଆ ହୋଇନି ଯେ ନବାବୀକଥା କହିବ ।

ରାଗରେ ଦୁହେଁ ଦୁହିଁଙ୍କ ଆଡ଼େ ଧାଇଁ ଆସୁଥିଲେ ସେତିକି ବେଳେ କୋଣଆଡ଼ୁ କିଏ ଯେମିତି କହିଉଠିଲା—ରୁହ ତୁମେମାନେ !

ତାର ସେ ସ୍ୱରରେ ଗୋଟାଏ ଅଦ୍ଭୁତ ଗାମ୍ଭୀର୍ଯ୍ୟ ଥିଲା ।

ଅଦ୍ଭୁତ ସେ ସ୍ୱର । ଶୁଣିବାପରେ ଚୁପ୍‌ଚାପ୍‌ ଆଦେଶ ପାଳନ କରିବା ଛଡ଼ା ଉପାୟ ନାହିଁ । ଦୁହେଁ ଠିଆ ହୋଇପଡ଼ିଲେ । ସମସ୍ତଙ୍କ ଦୃଷ୍ଟି ଯାଇ କୋଣରେ ବସିଥିବା ଭଦ୍ରଲୋକଙ୍କ ଉପରେ ପଡ଼ିଲା । ଭଦ୍ରଲୋକ ଧୀରେ ଧୀରେ ଆଗେଇ ଆସି ସଦେଇ ବେହେରାକୁ ପଚାରିଲେ–ୟାର କେତେ ବାକି ଅଛି ?

ବିନୟରେ ବିଗଳିତ ହୋଇ ସଦେଇ ବେହେରା ଗୋଟାଏ ବିକୃତ ହସ ହସି କହିଲା—ଆଜ୍ଞା, ତିନି ଟଙ୍କା ।

ଭଦ୍ରଲୋକ ଗମ୍ଭୀର ଭାବରେ ଖଣ୍ଡେ ଦଶଟଙ୍କିଆ ନୋଟ ବାହାର କରି ସଦେଇ ବେହେରା ହାତରେ ଦେଲେ । କହିଲେ—ମୋର ଚା’ପଇାସାଟା ବି ସେଥିରୁ କାଟିନିଅ । ଆଉ ବାକି ଟଙ୍କାଏ ଏହାକୁ ଦେଇ ଦିଅ ।

କହିଦେଇ ସେ ବାସୁଆକୁ ଦେଖାଇ ଦେଲେ ।

ଏମିତି ଗୋଟାଏ ଘଟଣା ବୈଚିତ୍ର୍ୟରେ ବାସୁଆ ଟିକିଏ ବୋକା ପାଲଟି ଯାଇଥିଲା । ଏଥର ସେ ଭଦ୍ରଲୋକଙ୍କ ଆଡ଼େ ଥରେ ଚାହିଁ କହିଲା—ଆଜ୍ଞା ଆପଣ....

ଭଦ୍ରଲୋକ ବାଧା ଦେଇ କହିଲେ—ଥାଉ ଆଉ ଗୁଣ ବ୍ୟାଖ୍ୟା କରିବା ଦରକାର ନାହିଁ-

ଏପଟ କୋଣରେ ଜମିର୍‌ ଖାଁ ଫକୀର ସିଂକୁ କହିଲା—ଖୁବ୍‌ ବଢ଼ିଆ ମାଲ୍‌ରେ । ପକେଟରେ ବେଶ୍‌ ଦି’ ପଇସା ଅଛି ! ପକେଟର ଓଜନଟା ଟିକିଏ ହାଲୁକା କରିଦେବି ନା କଣ ? ବାବୁ ସାହେବ ଜାଣିଯିବେ ଯେ ଜମିର ଖାଁ କେମିତି ହାତ ସଫେଇ ଜାଣେ !

ବାଧା ଦେଇ ଫକୀର ସିଂ କହିଲା—ଖବରଦାର ଜମିର୍‌ ! ଦଳର ନିୟମ ଅଛି ଯେ ଦଳର କାମ କରିବାକୁ ହେଲେ ଦଳର କାମଛଡ଼ା ବାହାର କାମ କରିବା ଚଳିବନି । ମନେ ନାହିଁ ବୋଧହୁଏ ?

ଘରର ଠିକ୍‌ ଦ୍ୱାର ପାଖରେ ଗୋଟିଏ ଟୋକା ବସିଥିଲା । ସେ ଦୋକାନର ଚାକର । କପ୍‌ ପ୍ଲେଟ ଧୁଏ । ଚା’ ପ୍ରଭୃତି ତିଆରି କରେ । ଖାଇପିଇ ମାସ ଶେଷରେ ଛଅ ଟଙ୍କା ଦରମା ପାଏ-। ସେ ଥରେ ଦଶଟଙ୍କିଆ ନୋଟଟା ଉପରେ ତାର ଲୋଲୁପ ଦୃଷ୍ଟି ନିକ୍ଷେପ କଲା ।

ଚାକରଟି ଏଥର ଆସି ଭଦ୍ରଲୋକଙ୍କୁ ନମସ୍କାର କରି କହିଲା ହଜୁର, ବକଶିସ !

ଭଦ୍ରଲୋକ ଗୋଟାଏ ଚାରଣି ପକେଇ ଦେଇ ବାସୁଆ ସହିତ କଣସବୁ କଥାବାର୍ତ୍ତା କରୁ କରୁ ବାହାରି ଗଲେ ।

ଏ ଦୃଶ୍ୟଟା ସଦେଇ ବେହେରାକୁ ଭଲ ଲାଗିଲନି । ଜଣେ ଧନୀ ଭଦ୍ରଲୋକଙ୍କ ସହିତ ଗୋଟାଏ ଜେଲ୍‌ ଫେରନ୍ତା ଦାଗୀ ଆସାମୀର ଏତେଟା ଅନ୍ତରଙ୍ଗତା ଅସହନୀୟ ।

ସେ ଦୁହେଁ ଫୁସୁରୁଫାସର ହୋଇ କଣସବୁ କଥାବର୍ତ୍ତା ହୋଇ ଚାଲିଥାଆନ୍ତି । ରାସ୍ତାର ମୋଡ଼ ଉପରକୁ ଆସି କହିଲେ—ବୁଝିଲ ତ । ମନେ ରହିବ ? ବାଲିଅପଟିର ପୋଖରୀ ପାଖକୁ ଲାଗି ବାମ ପଟେ ଯେଉଁ ସରୁ ରାସ୍ତାଟା...

ବାସୁଆ ଏଥର ସବୁଯାକ ଦାନ୍ତ ଦେଖାଇ ହସୁ ହସୁ କହିଲା, ହଁ, ହଁ ଠିକ୍‌ ମନେରହିବ ଆଜ୍ଞା । ଥରେ ଶୁଣିଲେ ମୁଁ କୌଣସି କଥା ଭୁଲେନି ।

ଏପଟୁ ଗୋଟିଏ କଣା ଭିଖାରୀ ଖଣ୍ଡେ ମୋଟା ଠେଙ୍ଗା ଠୁକୁ ଠୁକୁ କରି ଭଦ୍ରଲୋକଙ୍କ ଆଗରେ ତାର ଭଙ୍ଗା ଡେକେଚି ଖଣ୍ଡକ ଧରି କହିଲା—ବିଚରା ଅନ୍ଧକୁ ଗୋଟିଏ ପଇସା ମିଳୁ ବାବୁ, ଭଗବାନ ଆପଣଙ୍କର ମଙ୍ଗଳ କରିବେ ବାବୁ....

ଭଦ୍ରଲୋକ ନାକ ଟେକି ପାଖେଇ ହୋଇ ଚାଲିଗଲେ ।

କଣା ଭିକ୍ଷୁକଟି ଭଦ୍ରଲୋକଙ୍କ ଯିବା ବାଟକୁ ଚାହିଁ ଟିକିଏ ହସି ଦେଲା । ଟିକିଏ ଭଲ ଭାବରେ ଦେଖିଲେ ଜାଣିହେବ ଯେ ଏ ଭିକ୍ଷୁକଟି ପ୍ରଖ୍ୟାତ ରହସ୍ୟାନୁସନ୍ଧାନୀ ଜୟନ୍ତ ପାଣିଗ୍ରାହୀଙ୍କ ସହକାରୀ ସୁଧୀର ଛଡ଼ା ଅନ୍ୟ କେହି ନୁହେଁ ।

 

।। ସାତ ।।

 

ବର୍ଷଣକ୍ଳାନ୍ତ ସହର । ରାସ୍ତା ଘାଟ ପାଣି କାଦୁଅ, ଜନଶୂନ୍ୟ । ସନ୍ଧ୍ୟା ଅନେକ ବେଳୁ ହେଇଯାଇଚି । ରାତିର ଅନ୍ଧାର ଘନେଇ ଆସିଛି ।

 

ସବୁ ଘରର ଝରକା କବାଟ ବନ୍ଦ । କେବଳ ଗୋଟାଏ ଘରେ ତାର କିଛିଟା ବ୍ୟତିକ୍ରମ ଦେଖା ଯାଉଛି । ସବୁ ଝରକା କବାଟ ଖୋଲା ସମଗ୍ର ଘରେ ଯେମିତି ଆଲୋକର ବନ୍ୟା ଖେଳୁଛି-। ମଝିରେ ମଝିରେ ଟେଲିଫୋନ୍‌ର ଝଣ୍‌ଝଣ୍‌ ଶବ୍ଦ ଶୁଣା ଯାଉଛି ।

 

ଏ ଘରଟା ବିଖ୍ୟାତ ରହସ୍ୟାନୁସନ୍ଧାନୀ ଜୟନ୍ତ ପାଣିଗ୍ରାହୀର । ଫୋନ୍‌ ଉଠେଇ ଜୟନ୍ତ ପଚାରିଲା—ହ୍ୟାଲୋ, କିଏ କହୁଛନ୍ତି ? ଓ, ନରେନ୍‌ ! ହଁ, କଣ କହୁଛ ?

 

ଉତ୍ତରରେ ଶୁଣାଗଲା—ଦେଖ ଅଲେଖ ବିହାରୀ ଧଳଙ୍କ ପୁରୁଣା ଇତିହାସ ଅଜ୍ଞାତ । ସେ ମାତ୍ର ଆଠ ବର୍ଷ ହେଲା ଏଠାକୁ ଆସିଛନ୍ତି । ତାଙ୍କର ଆଗର ଇତିହାସ ମିଳୁ ନାହିଁ । ଯେମିତି ସେ ଆକାଶରୁ ଗଳିପଡ଼ିଲା ପରି ମନେ ହେଉଛି । ତେବେ ଟିକିଏ ସନ୍ଦେହଜନକ ଅବଶ୍ୟ ।

 

ତାଙ୍କ ଭଳି ବଦାନ୍ୟ ବ୍ୟକ୍ତିଙ୍କର ପୂର୍ବପରିଚୟ ନ ମିଳିବାଟା ଅସ୍ୱାଭାବିକ । ତାଙ୍କର ଏଠିକା ବିଶ୍ୱବିଦ୍ୟାଳୟର କୌଣସି ଉପାଧି ନାହିଁ, ତେବେ ତାଙ୍କୁ ଦେଖିଲେ ମନେହୁଏ ସେ ଅନ୍ତତଃ ଜଣେ ଗ୍ରାଜୁଏଟ । ହୁଏତ ସେ ଅନ୍ୟ କୌଣସି ନାମରେ ଡିଗ୍ରୀ ହାସଲ କରିଛନ୍ତି, ଏ ନାମଟା ବୋଧହୁଏ ତାଙ୍କର ଗୋଟାଏ ଛଦ୍ମ ନାମ ।

 

ଜୟନ୍ତ ହସିଦେଇ କହିଲା—ହଁ,ଏଇଟା ମୁଁ ଆଶା କରୁଥିଲି । ତାଙ୍କର କୌଣସି ଦୁର୍ବଳ ସ୍ଥାନରେ ଆଘାତ ଦେଇ ହୁଏତ ଲାଲ୍‌ ଝଣ୍ଡା ଦଳ ତାଙ୍କ ଚିଠି ଲେଖିଛି । ତେଣୁ ସେ ଭୟରେ ମୋର ଶରଣାପନ୍ନ ହେଇଛନ୍ତି । ଗୋପନ ରହସ୍ୟର ଭୟରେ ପୋଲିସ ପାଖକୁ ଯିବାକୁ ଭରସା ପାଇ ନାହାନ୍ତି । ଆଉ ଚିଠିଟା ବି ଚିରି ପକେଇଛନ୍ତି ।

 

ହଁ, ଆଉ ଗୋଟାଏ କଥା । ତାଙ୍କର ନାଇଟ୍‌ କ୍ୟାପ୍‌କୁ ଲକ୍ଷ୍ୟ କରି ଅନ୍ୟ କେହି ଗୁଳି ଚଳେଇ ନାହିଁ । ପ୍ରମାଣକୁ ଜୋର୍‌ କରିବା ପାଇଁ ସେ ନିଜେ ଟୋପିଟାକୁ ଗୁଳିରେ କଣା କରି ସାହାଯ୍ୟ ମାଗିବାକୁ ଆସିଥିଲେ । ତେବେ ଜୟନ୍ତ ପାଣିଗ୍ରାହୀ ଆଖିରେ ଧୂଳିଦେବା ଏତେ ସହଜ ନୁହେଁ । ହୁଏତ ଲାଲ୍‌ ଝଣ୍ଡା ଦଳ ବିରୁଦ୍ଧରେ ମୁଁ ତାଙ୍କୁ ସାହାଯ୍ୟ କରିବି; କିନ୍ତୁ ତାଙ୍କ ଉପରେ ମୋର ତୀକ୍ଷ୍‌ଣ ଦୃଷ୍ଟି ରହିବ ।

 

ନରେନ୍‌ ପଚାରିଲେ—ସେପଟେ କେତେଦୂର ଆଗେଇଲ ?

 

ଜୟନ୍ତ କହିଲା—ଲାଲ୍‌ ଝଣ୍ଡାର ଦଳପତି ଫୋନ୍‌ରେ ଜଣେଇଛି ଯେ ମୁଁ କେଉଁଠୁ ମାତ୍ର ଆଉ ତିନି ଦିନ ପୃଥିବୀର ଆଲୋକ ଆଉ ପବନ ଉପଭୋଗ କରିପାରିବି ! ତା’ପରେ ସେ ଆମ ଦୁହିଁଙ୍କୁ ପୃଥିବୀ ବକ୍ଷରୁ ସବୁଦିନ ପାଇଁ ବିଦାୟ କରିଦେବ ! ଦେଖେଁ, ସୁଧୀରର କୌଣସି ଖବର ପାଇ ନାହିଁ । ଗୋଟାଏ ଦଳକୁ ଅନୁସରଣ କରି କେତେଦୂର ଆଗେଇଲା କେଜାଣି । ଆଚ୍ଛା, ରହିଲି-

 

ଫୋନ୍‌ ଛାଡ଼ିଦେଇ ଜୟନ୍ତ ଟିକିଏ ଚିନ୍ତା କରୁଥିଲା, ସେତିକିବେଳେ ପୁଣି ଫୋନ୍‌ଟା ଝଣ୍‌ଝଣ୍ ହୋଇ ଉଠିଲା ।

 

—କିଏ ?

 

—ମୁଁ ସୁଧୀର । ତୁ ଜୟନ୍ତ କହୁଛୁ ତ ?

 

—ହଁ, କେତେଦୂର ଆଗେଇଲୁ ?

 

ଅପର ପକ୍ଷରୁ ଶୁଣାଗଲା—ଅନେକ ଦୂର ଆଗେଇଛି । ଏମାନଙ୍କ ଦଳର ଅନେକ ଚଣ୍ଡୀ-ଚାମୁଣ୍ଡାଙ୍କର ସାକ୍ଷାତ ତ ପାଉଛି; କିନ୍ତୁ ଅସଲ ମୁଣ୍ଡ ଯେ ଏମାନଙ୍କ ଭିତରେ କେଉଁଠି ଆତ୍ମଗୋପନ କରି ରହିଛି ଜାଣିପାରୁ ନାହିଁ । ଏମାନଙ୍କର ଦଳଟା ଖୁବ୍‌ ବିରାଟ ! ଏହାର ଖିଅ ବାହାର କରିବା ଯାହିତାହି ଲୋକର କାମ ନୁହେଁ । ତେବେ ତତେ ଗୋଟାଏ ଖବର ଦେଉଛି, ଚେଷ୍ଟା କରି ଦେଖିପାରୁ । ବାଲିଆପଟିର ପୋଖରୀ ପାଖକୁ ଲାଗି ଯେଉଁ ସରୁ ରାସ୍ତାଟା ଯାଇଛି ସେ ରାସ୍ତାର ପଞ୍ଚମ ଘରେ ଆଜି ଗୋପନ ଅଭିସାର ହେବ । ଚେଷ୍ଟା କରି ଦେଖିପାରୁ । ମୁଁ ଏପଟେ ଦଳର ଆଉ କେତେ ଜଣକ ପଛରେ ଲାଗିଛି । ହଉ, ରହିଲି ।

 

ଅଳ୍ପ ସମୟ ମଧ୍ୟରେ ଦେଖାଗଲା ଖଣ୍ଡେ ଗାଡ଼ି ସହରର ଉତ୍ତର ଦିଗକୁ ଧାଇଁବାରେ ଲାଗିଛି ।

 

ତଳବଜାର ପାର ହୋଇ ଗାଡ଼ିଟା ଚକମୁଣ୍ଡି ରାସ୍ତା ଧରିଲା । ଗାଡ଼ିର ଷ୍ଟିଅରିଂ ଧରି ବସିଛି ନିଜେ ଜୟନ୍ତ ପାଣିଗ୍ରାହୀ । ଗାଡ଼ିର ଗତିଆଡ଼େ ତାର ନଜର ନାହିଁ । ଦୁର୍ଯୋଗ ରାତିର ନିରୋଳା ରାସ୍ତା ପାଇ ପୂର୍ଣ୍ଣଗତିରେ ଗାଡ଼ି ଛୁଟେଇ ଦେଇଛି । ମନେହୁଏ ମୁହୂର୍ତ୍ତେ ଡେରି ବି ବୋଧହୁଏ ଅସହ୍ୟ ।

 

ପରିପାଟଣା ପାଖରେ ଦେଖାଗଲା ଅପର ଦିଗରୁ ଦୁଇଖଣ୍ଡି ଗାଡ଼ି ଆସୁଛି । ଖଣ୍ଡେ ବସ୍‌, ଅନ୍ୟ ଖଣ୍ଡକ କାର୍‌ । କୌଣସି ଭ୍ରୂକ୍ଷେପ ନକରି ଜୟନ୍ତ ଠିକ୍‌ ମଝିରେ ଥିବା କେତେ ହାତ ରାସ୍ତାରେ ଗାଡ଼ିଟାକୁ ଅକ୍ଳେଶରେ ନେଇଗଲା । ମାତ୍ର କେତୋଟି ଇଞ୍ଚ ବ୍ୟବଧାନ ହୋଇଥିଲେ ବିରାଟ ଦୁର୍ଘଟଣା ଘଟିଯାଇଥାଆନ୍ତା । କିନ୍ତୁ ସେ ଆଡ଼କୁ ନଜର ଦେବା ଅବକାଶ ତାର ବୋଧହୁଏ ନାହିଁ । ଗାଡ଼ି ଧାଇଁବାରେ ଲାଗିଛି, ଯେମିତି ବନ୍ଧନମୁକ୍ତ କୌଣସି ହିଂସ୍ର ପ୍ରାଣୀ ।

 

ହଠାତ୍‌ ଚମକି ଉଠିଲା । ଅକସ୍ମାତ୍‌ ଗୋଟାଏ ଲୋକ ଆସି ତାର ଗାଡ଼ି ଆଗରେ ପଡ଼ିଗଲା । ଜୟନ୍ତ ପ୍ରାଣପଣେ ଗାଡ଼ିରେ ବ୍ରେକ୍‌ ଧରିଲା । ସାମାନ୍ୟ କେତେ ଇଞ୍ଚ ବ୍ୟବଧାନ ଯୋଗୁ ଲୋକଟି ବଞ୍ଚିଗଲା । ଗାଡ଼ି ଆଗରେ ସେ ମୁହଁମାଡ଼ି ପଡ଼ିଥିଲା ।

 

ଜୟନ୍ତ ଗାଡ଼ି ଭିତରୁ ବାହାରି ଆସିଲା ।

 

ଲୋକଟି ଧୀରେ ଧୀରେ ଉଠି ବସିଛି । ଜୟନ୍ତ ତା ପାଖକୁ ଯାଇ ପଚାରିଲା—ଏ ବର୍ଷା ଅନ୍ଧାର ରାତିରେ ତୁମେ ରାସ୍ତାରେ ବୁଲୁଥିଲ କାହିଁକି ? ଅଳ୍ପକେ ରକ୍ଷା ପଡ଼ିଗଲା—ଆଉ ଧାପେ ଗାଡ଼ି ଗଡ଼ିଥିଲେ ଅବସ୍ଥା କଣ ହୋଇଥାଆନ୍ତା ବୁଝିପାରୁଚଟି ?

 

ଧକେଇ ଧକେଇ ଲୋକଟି କହିଲା—ମୁଁ ବଡ଼ ଗରିବ ମଣିଷ ବାବୁ । ପେଟ ପୋଷିବା ପାଇଁ ଗାଆଁରୁ ପଳେଇ ଆସିଛି, ସହର କଥା ମତେ କିଛି ଜଣା ନାହିଁ ।

 

ଜୟନ୍ତ କହିଲା—ଗୋଟାଏ ଜରୁରୀ କାମରେ ଯାଉଛି, ମତେ ସମୟ ନାହିଁ । ତମେ ଗାଡ଼ିରେ ବସ ।

 

ଲୋକଟିକୁ ଗାଡ଼ିରେ ବସାଇ ଜୟନ୍ତ ପୁଣି ପୂର୍ବଗତିରେ ଗାଡ଼ିଟାକୁ ଛୁଟେଇ ଦେଲା । ତୀବ୍ରବେଗରେ ଗାଡ଼ି ଖଣ୍ଡକ ଆଗେଇ ଚାଲିଛି । ଲୋକଟି । ଆଡ଼େ ଭଲ ଭାବରେ ନଜର ଦେବାର ଅବକାଶ ଜୟନ୍ତର ନଥିଲା ।

 

ପ୍ରାୟ ସାତ ମିନିଟ ଗାଡ଼ି ଧାଇଁବା ପରେ ବାଲିଆପଟି ପାଖରେ ଆସି ପହଞ୍ଚିଗଲା । ହଠାତ୍‌ ଜୟନ୍ତର ଖିଆଲ ହେଲା ପଛସିଟ୍‌ରେ ବସିଥିବା ଲୋକଟି ନାହିଁ । ସେ କୁଆଡ଼େ ଗଲା ? କର୍ପୂର ଭଳି ପବନରେ ମିଶିଗଲା ନା କଣ । ନିଶ୍ଚୟ ରାସ୍ତା ମଝିରେ କୌଣସିଠାରେ ଓହ୍ଲାଇ ପଡ଼ିଛି-

 

ଜୟନ୍ତ ସଙ୍ଗେ ସଙ୍ଗେ ଗାଡ଼ିରୁ ଓହ୍ଲାଇପଡ଼ି ଦାନ୍ତ ରଗଡ଼ି ମନକୁମନ କହିଲା—ବୁଝିଲି, ବଦମାସମାନଙ୍କର କାମ !

 

ତାର ଭାବନା ଶେଷ ହେବା ଆଗରୁ ହଠାତ୍‌ ଗୋଟାଏ ବିକଟ ଶବ୍ଦ କରି ଗାଡ଼ିଖଣ୍ଡକ ହୁ–ହୁ ହୋଇ ଜଳିଉଠିଲା ।

 

ବର୍ଷଣମୁଖରେ କଦ୍ଦମାକ୍ତ ରାସ୍ତାର ଚାରିଆଡ଼େ ପେଟ୍ରୋଲ ଆଉ ନିଆଁ ଖେଳେଇ ହୋଇଗଲା । ଜୟନ୍ତ ବୁଝିଲା, ତାର ଜୀବନ ନେବା ପାଇଁ ସେ ଲୋକଟି ଗାଡ଼ିରେ ଟାଇମ୍‌ବମ୍‌ ରଖି ଓହ୍ଳାଇ ଯାଇଛି । ଲୋକଟା ନିଶ୍ଚୟ ଲାଲ୍‌ ଝଣ୍ଡା ଦଳର ଲୋକ । ତାର ପ୍ରତିଟି ଗତିବିଧି ଉପରେ ସେମାନଙ୍କ ତୀକ୍ଷଣ ଦୃଷ୍ଟି ରହିଛି । ଗାଡ଼ିରୁ ଓହ୍ଲାଇବା ଆଉ ଟିକିଏ ଡେରି ହୋଇଥିଲେ ଏତେବେଳକୁ ତା ଦେହ ପରିବର୍ତ୍ତେ କେତେଗୁଡ଼ାଏ ପୋଡ଼ା ମାଂସ ରାସ୍ତା ଉପରେ ପଡ଼ିଥାଆନ୍ତା ।

 

ଅପରିସୀମ କ୍ରୋଧରେ ଜୟନ୍ତର ମୂର୍ତ୍ତି ଭୀଷଣ ଆକାର ଧାରଣ କଲା । ଟିକିଏ ଆଗେଇଯାଇ କିଛି ସମୟ ଖୋଜିବା ପରେ ସେ ଗୋଟାଏ ବଡ଼ ଦୋକାନକୁ ଆସି କହିଲା—ଆପଣଙ୍କ ଟେଲିଫୋନ୍‌ଟା ଟିକିଏ ଦରକାର ଥିଲା ।

 

ଦୋକାନୀ ଜଣକ ଆପତ୍ତି କରୁଥିଲା; କିନ୍ତୁ ଜୟନ୍ତ ନିଜର ପରିଚୟ ଦେବାରୁ ତାକୁ ସସମ୍ମାନରେ ଅନୁମତି ଦେଲା ।

 

ଜୟନ୍ତ ନରେନ୍‌ଙ୍କୁ ଫୋନ୍‌କଲା—କିଏ ? ନରେନ୍‌ ? ବର୍ତ୍ତମାନ ଯଦି ଲାଲ୍‌ ଝଣ୍ଡା ଦଳ ଆଉ ତାର ଦଳପତିକୁ ଗିରଫ କରିବାକୁ ଇଚ୍ଛା କରୁଥାଅ ତାହାଲେ ବାଲିଆପଟି ପୋଖରୀ ପାଖ ଦେଇ ଯାଇଥିବାରୁ ସରୁରାସ୍ତାର ପଞ୍ଚମ ଘର ପାଖରେ ଆସି ପହଞ୍ଚିଯାଅ । ମୁଁ ସେମାନଙ୍କୁ ଆକ୍ରମଣ କରୁଛି । ତମେ ଯଥାଶୀଘ୍ର ନ ଆସିଲେ ମୋର ଜୀବନ ବିପନ୍ନ ହୋଇପାରେ । ତେବେ ମତେ କେହି ଭୟ ଦେଖାଇ ପାରିବେ ନାହିଁ—ଏମାନେ ମୋର ଜୀବନ ନଷ୍ଟ କରିବାର ଚେଷ୍ଟା କରିଥିଲେ । ମୋର ଗାଡ଼ିଟା ପୋଡ଼ି ଯାଇଛି; ତଥାପି ସେମାନେ ମତେ ରୋକି ପାରିବେ ନାହିଁ । ମନେରଖ, ସାମାନ୍ୟ ହେଳାକଲେ ଦଳଟା ଖସି ଯାଇପାରେ—ତା ସଙ୍ଗେ ସଙ୍ଗେ ମୋର ଜୀବନ ବି ବିପନ୍ନ ହେବ !

 

କିନ୍ତୁ ଜୟନ୍ତ ବୋଧହୁଏ ତାର ହିସାବରେ ସାମାନ୍ୟ ଟିକିଏ ଭୁଲ୍‌ କରିଥିଲା—କାରଣ ସେଇଟା ଲାଲ୍‌ ଝଣ୍ଡା ଦଳର କୌଣସି ଗୁପ୍ତ ଆଡ଼୍‌ଡ଼ା ନୁହେଁ । ସେଠାରେ କେବଳ ଗୋଟାଏ ଅଭିଯାନ ଆରମ୍ଭ ହେବ ।

 

ଗୋଟାଏ ଛୋଟ ଅପରିସର ଗଳି ଦେଇ ଜୟନ୍ତ ଆଗେଇ ଚାଲିଲା । କିଛି ଦୂର ଯିବାପରେ ସେ ଏମିତି ଗୋଟାଏ ଦୃଶ୍ୟ ଦେଖିଲା । ଯାହାକି ତାକୁ ମୁହୂର୍ତ୍ତକ ପାଇଁ ବିସ୍ମିତ କରି ପକେଇଲା । ଘରଭିତରୁ ଗୋଟାଏ ଲୋକ ବାହାରି ଆସୁଥିଲା । ବୋଧହୁଏ ରାସ୍ତାକୁ ବାହାରିବାପାଇଁ ସେତେବେଳେ ଦ୍ୱାର ଖୋଲୁଥିଲା—ସେତିକିବେଳେ ସରୁ ରାସ୍ତାଟା ଉପରେ ଠିଆ ହୋଇଥିବା ଗାଡ଼ିର ଚାରୋଟିଯାକ ଦ୍ୱାର ଖୋଲି ଚାରି ଜଣ ଲୋକ ପଲକ ମାତ୍ରେ ତା ଉପରକୁ କୁଦିପଡ଼ିଲେ । ଗୋଟାଏ ଛୋଟ ଲାଠିରେ ତାର ମୁଣ୍ଡକୁ ଦୁଇ ଥର ଆଘାତ କରି ନିମିଷକ ମଧ୍ୟରେ ତାକୁ ଧରାଶାୟୀ କରିଦେଲେ । ତାପରେ ତାକୁ ଧରାଧରି କରି ଗାଡ଼ିକୁ ଉଠେଇବାର ଉଦ୍ୟମ କଲେ ।

 

ଏମିତି ଗୋଟାଏ ଅବସ୍ଥା ବରଦାସ୍ତ କରିବା ଜୟନ୍ତ ପକ୍ଷେ ଅସମ୍ଭବ ହୋଇ ଉଠିଲା । ସେ ଧାଇଁଯାଇ ଗୋଟାଏ ଲୋକର ତଳିପେଟର ଗୋଟାଏ ଶକ୍ତ ଗୋଇାଠା ବସେଇଲା । ଅପର ବ୍ୟକ୍ତିଟି ସାବଧାନ ହେବା ଆଗରୁ ତାର କାନମୂଳରେ ଗୋଟାଏ ବଜ୍ରମୁଥ ଯାଇ ବସିଲା । ଦୁଇ ଜଣଯାକ ଜ୍ଞାନଶୂନ୍ୟ ହୋଇ ଗଡ଼ିପଡ଼ିଲେ ।

 

ଯେଉଁ ଦୁଇ ଜଣ ଶିକାରଟିକୁ ଟେକିବାରେ ବ୍ୟସ୍ତ ଥିଲେ ସେମାନେ ହଠାତ୍‌ ଅବସ୍ଥାର ଏ ବିପର୍ଯ୍ୟୟରେ ଜୟନ୍ତ ଆଡ଼େ ଧାଇଁ ଆସିଲେ ।

 

ଜୟନ୍ତ ସୁଯୋଗ ଦେଖି ମୁଣ୍ଡ ନୁଆଁଇ ଜଣକର ଆଣ୍ଠୁସନ୍ଧିରେ ଗଳାଇ ଦେଇ ପ୍ରବଳ ବେଗରେ ସିଧା ଭାବରେ ଠିଆ ହୋଇପଡ଼ିଲା । ସଙ୍ଗେ ସଙ୍ଗେ ସେ ଲୋକଟି ପାରା ଭଳି ଲେଉଟି ପଡ଼ିଲା

 

ଅନ୍ୟ ଜଣକ ଅବସ୍ଥା ଅସମ୍ଭାଳ ଦେଖି ଗାଡ଼ି ଆଡ଼େ ଧାଇଁ ଯାଉଥିଲା, ସେତିକିବେଳେ ଜୟନ୍ତର ଗୋଟାଏ ଶକ୍ତ ଗୋଇଠା ତାର ଅଣ୍ଟାରେ ବସିଲା । ଲୋକଟା ହାମୁଡ଼େଇ ହୋଇ ସେଠାରେ ପଡ଼ିଗଲା ।

 

ଜୟନ୍ତ ସେମାନଙ୍କର ଶିକାରଟିକୁ କାନ୍ଧରେ ପକେଇ ଘରଟାଆଡ଼େ ଯିବା ପାଇଁ ବାହାରିଲା ବେଳକୁ ପଛରୁ ତାର କିଏ ଜଣେ କହିଉଠିଲା ଏ ବଦମାସ୍‌, ମୁଣ୍ଡ ଉପରକୁ ହାତ ଉଠା ସଇତାନ, ଆଉ ଏ ଲୋକଟାକୁ ଗାଡ଼ିଭିତରେ ନେଇ ରଖ ।

 

ଭଲ ଭାବରେ ଜୟନ୍ତ ଶିକାରଟିର ମୁହଁ ଆଡ଼େ ଚାହିଁବାର ଅବକାଶ ବି ପାଇଲା ନାହିଁ, ସେ କିଂକର୍ତ୍ତବ୍ୟମୂଢ଼ ହୋଇପଡ଼ିଲା ।

 

ସେ ଭାବିଥିଲା ଆତତାୟୀ ମାତ୍ର ଚାରି ଜଣ । କିନ୍ତୁ ଗାଡ଼ି ଭିତରେ ଯେ ପଞ୍ଚମ ବ୍ୟକ୍ତି ଲୁଚି ବସିଛି ଏ ଧାରଣା ତାର ହୋଇ ନାହିଁ । ଦେଖିଲା, ପଞ୍ଚମ ବ୍ୟକ୍ତିର ସର୍ବାଙ୍ଗ କଳାପୋଷାକରେ ଆବୃତ୍ତ । ମୁହଁରେ କଳାମୁଖା । ହାତରେ ରହିଛି ଗୋଟାଏ ରିଭଲଭର୍‌ । କୌଣସି ପ୍ରକାର ଉପାୟ ନଦେଖି ସେ ଧୀରେ ଧୀରେ ଲୋକଟିକୁ ଧରି ଗାଡ଼ିଆଡ଼େ ଆଗେଇବାରେ ଲାଗିଲା ।

 

ରିଭଲର୍‌ଧାରୀ ଲୋକଟି କହିଲା—ବଦମାସ୍‌ ଦେହରେ ଖୁବ୍‌ ଜୋର୍‌ ଅଛି । ଏକୁଟିଆ ଚାରି ଚାରିଟା ମେଣ୍ଢାଙ୍କୁ ମାରି ଖୁବ୍‌ ବାହାଦୂରୀ ଦେଖାଇଛୁ ଯାହାହେଉ ! ସେ ଚାରି ଜଣଙ୍କୁ ବି ଗାଡ଼ିଭିତରକୁ ଉଠେଇଦେ, ତାପରେ ଯୁଆଡ଼େ ଖୁସି ଯା ।

 

ଜୟନ୍ତ ଟିକିଏ ଖୁସି ହେଲା । ମୁଖାଧାରୀ ଲୋକଟା ତାହେଲେ ତାକୁ ରହସ୍ୟାନୁସନ୍ଧାନୀ ଜୟନ୍ତ ପାଣିଗ୍ରାହୀ ବୋଲି ଚିହ୍ନିପାରି ନାହିଁ । ସାଧାରଣ କୌଣସି ପଥଚାରୀ ବୋଲି ମନେ କରିଛି ।

 

ସେ ଧୀରେ ଧୀରେ ଲୋକଗୁଡ଼ିଙ୍କୁ ଉଠାଇ ଗାଡ଼ିରେ ରଖିଦେଲା । ତାପରେ ଦେଖିଲା ମୁଖାଧାରୀ ଲୋକଟା ଲୋକଗୁଡ଼ିଙ୍କ ଆଡ଼େ ଚାହିଁ ରହିଛି ଏବଂ ତାର ରିଭଲଭର୍‌ଟା । ସମ୍ମୁଖ ଆଡ଼କୁ ରହିଛି—ଜୟନ୍ତ ଗୋଟାଇ ଆଣିଥିବା ଛୋଟ ଲାଠିଟାରେ ଶକ୍ତ ଭାବରେ ଲୋକଟାର ହାତକୁ ଆଘାତ କଲା ।

 

ସଙ୍ଗେ ସଙ୍ଗେ ତା ହାତର ରିଭଲଭର୍‌ଟା ଛିଟିକି ପଡ଼ିଲା । ମୁହୂର୍ତ୍ତେ ଅପେକ୍ଷା ନକରି ଜୟନ୍ତ ତା’ଉପରକୁ ଭୀମ ବିକ୍ରମରେ କୁଦିପଡ଼ି ତାକୁ କାବୁ କରି ପକେଇଲା । ତାପରେ ଦ୍ରୁତ ଶିକାରଟିକୁ କାନ୍ଧରେ ପକାଇ ପାଖ ଘର ଭିତରକୁ ପଶିଗଲା । ଦ୍ୱାରଟା ଭଲ ଭାବରେ ବନ୍ଦ କରି ଦେଇ ନିଶ୍ଚିନ୍ତରେ ଲୋକଟିକୁ ଗୋଟାଏ ସୋଫା ଉପରେ ଶୁଆଇ ଦେଲା । ଏଥର ଘରର ସ୍ୱଳ୍ପ ଆଲୋକରେ ଲୋକଟି ଆଡ଼େ ଚାହିଁ ଦେଖିଲା ଯେ ସେ ଆଉ କେହି ନୁହେଁ, ନିଜେ ଅଲେଖ ବିହାରୀ ଧଳ ।

 

ଅଲେଖ ବାବୁଙ୍କ ମୁଣ୍ଡରେ ଫେଲ୍‌ଟ ହ୍ୟାଟ୍‌ଥିବା ଯୋଗୁ ଆଘାତଟା ସେତେ ଗୁରୁତର ହୋଇ ନଥିଲା । ଅଳ୍ପ ସମୟ ପରେ ସେ ଧୀରେ ଧୀରେ ଆଖି ଖୋଲି ଚାହିଁଲେ । ଚାରିଆଡ଼େ ଥରେ ନଜର ବୁଲେଇ ସେ କେବଳ ବିହ୍ୱଳ ଭାବରେ କହିଲେ—ମୁଁ କେଉଁଠି ? ମୋ ମୁଣ୍ଡଟା ଏମିତି ବୁଲେଇ ହେଉଛି କାହିଁକି ?

 

ଜୟନ୍ତ କହିଲା—ଆପଣ ଏ ଘର ବାହାରକୁ ବାହାରିଥିଲେ, ଠିକ୍‌ ସେତିକିବେଳେ ପାଞ୍ଚ ଜଣ ଲୋକ ଆପଣଙ୍କୁ ଆକ୍ରମଣ କରିଥିଲେ । କିନ୍ତୁ ମୁଁ ଯଥା ସମୟରେ ପହଞ୍ଚି ସେ ଲୋକଗୁଡ଼ିଙ୍କୁ ତଡ଼ି ଆପଣଙ୍କୁ ଏଠିକି ନେଇ ଆସିଛି ।

 

ଅଲେଖ ବାବୁ କହିଲେ—ହଁ,ସବୁକଥା ମନେପଡ଼ୁଛି । ଏଇଟା ମୋର ଜଣେ ବାନ୍ଧବୀଙ୍କର ଘର । ସେ ଟିକିଏ ଆଗରୁ ବାହାରକୁ ଯାଇଛନ୍ତି, ମୁଁ ଏକୁଟିଆ ଏଠାରେ ବସିଥିଲି । ସେତିକିବେଳେ ଦ୍ୱାର ଖଟ୍‌ଖଟ୍‌ ହେବାର ଶୁଣି କବାଟ ଫିଟାଇବା ମାତ୍ରେ ହଠାତ୍‌ କେଉଁଠୁ ଚାରି ଜଣ ଲୋକ ଝପଟି ଆସି ଏକସଙ୍ଗେ ମତେ ଆକ୍ରମଣ କଲେ । ଗୋଟାଏ ମୋଟା ଲାଠିରେ ସେମାନେ ମୋ ମୁଣ୍ଡକୁ କେତେ ଥର ଆଘାତ କଲେ । ସଙ୍ଗେ ସଙ୍ଗେ ମୋର ଜ୍ଞାନଶୂନ୍ୟ ହୋଇଗଲା । କିନ୍ତୁ ଆପଣଙ୍କୁ କେଉଁଠି ଦେଖିଲା ପରି ଯେମିତି ମନେ ହେଉଛି ! ଆପଣ, ରହସ୍ୟାନୁସନ୍ଧାନୀ ପାଣିଗ୍ରାହୀ ବାବୁ ନା ?

 

ଜୟନ୍ତ ହସିଦେଇ କହିଲା—ହଁ, ମୁଁ ଗୋଟାଏ ଖବର ପାଇ ଏଆଡ଼େ ଆସିଥିଲି । ମୋର ଠିକ୍‌ ଧାରଣା ଥିଲା, ଏଇଟା ବୋଧହୁଏ ସେମାନଙ୍କର ଆଡ଼୍‌ଡ଼ା ସ୍ଥଳ, କିନ୍ତୁ ଏଇଟା ଯେ ଶିକାର କ୍ଷେତ୍ର ସେଇଟା ଜାଣି ନଥିଲା । କିନ୍ତୁ ଗୋଟାଏ କଥା, ଆପଣ ଯେ ଆଜି ଏଠାକୁ ଆସିବେ ସେକଥା କଣ କେହି ଜାଣନ୍ତି ?

 

ଅଲେଖ ବାବୁ କହିଲେ—ନା, ସେମିତି କେହି ଜାଣନ୍ତି ନାହିଁ । ତେବେ ମୋର ବାନ୍ଧବୀଙ୍କୁ ଖଣ୍ଡେ ଚିଠି ଲେଖି ଜଣେଇଥିଲି ।

 

ଜୟନ୍ତ କୌଣସି କଥା କହିବା ଆଗରୁ ଦ୍ୱାରଟା ଖଟ୍‌ଖଟ୍‌ ହେଲା । ଘର ଭିତରେ ପ୍ରବେଶ କଲା ଗୋଟିଏ ତରୁଣୀ । ଜୟନ୍ତ ତା ଆଡ଼େ ଚାହିଁବା ମାତ୍ରେ କହିଉଠିଲା—ଏ କଣ ଧଳ ବାବୁ, ଆପଣ ଶୋଇଛନ୍ତି କାହିଁକି ? ଆପଣଙ୍କର କଣ ଦେହ ଖରାପ ଅଛି ? ଆଉ ଏ କିଏ ? ଏହାଙ୍କୁ ତ ଚିହ୍ନି ନାହିଁ ।

 

ଭଲ ଭାବରେ ଜୟନ୍ତ ଦେଖିଲା ଝିଅଟି ଅନିନ୍ଦ୍ୟ ସୁନ୍ଦରୀ । ତାର ସର୍ବାଙ୍ଗରେ ଅପରୂପ ଲାବଣ୍ୟ । ଓଡ଼ିଆରେ କଥାବାର୍ତ୍ତା କରୁଥିଲେ ମଧ୍ୟ କେମିତି ଟିକିଏ ବଙ୍କା ଶୁଣାଯାଉଛି । ଜୟନ୍ତ ଏକଦୃଷ୍ଟିରେ ଝିଅଟି ଆଡ଼େ ଚାହିଁ ରହିଲା ।

 

ତାର ତୀବ୍ର ଦୃଷ୍ଟି ସହ୍ୟ କରି ନପାରି ଝିଅଟି ତଳକୁ ମୁହଁ କରି କହିଲା—କଣ ହୋଇଛି ଧଳ ବାବୁ ?

 

ଅଲେଖବାବୁ ମୁହଁ ଫିଟେଇ କଣ ଯେମିତି କହିବାକୁ ଯାଉଥିଲେ, ତାଙ୍କୁ ବାଧା ଦେଇ ଜୟନ୍ତ କହିଲା—ଆପଣ ବାହାରକୁ ଚାଲିଯିବାର ଟିକିଏ ପରେ ଏହାଙ୍କ ଉପରେ ଆକ୍ରମଣ ହୋଇଥିଲା । ଦ୍ୱାର ଖୋଲିବା ମାତ୍ରେ ଦଳେ ଲୋକ ମାଡ଼ି ଆସି ତାଙ୍କ ମୁଣ୍ଡରେ ଆଘାତ କଲେ । ମୁଁ ଠିକ ସେତିକିବେଳକୁ ଆସି ପହଞ୍ଚିଯିବାରୁ ସଇତାନ୍‌ଗୁଡ଼ାକ ପଳାଇ ଗଲେ ଏବଂ ମୁଁ ଧଳ ବାବୁଙ୍କୁ ଏଠିକି ନେଇ ଆସିଛି ।

 

ତାପରେ ଟିକିଏ ରହି କହିଲା—କିନ୍ତୁ ଆପଣଙ୍କୁ କେତେକ କଥା ପଚାରିବାର ଅଛି, ଆଶା କରେ ଯଥାଯଥ ଉତ୍ତର ପାଇବି ।

 

ଝିଅଟି ତୀବ୍ର ସ୍ୱରରେ କହିଉଠିଲା—ନା, ଆପଣଙ୍କର କୌଣସି ପ୍ରଶ୍ନର ଉତ୍ତର ଦେବା ପାଇଁ ମୁଁ ବାଧ୍ୟ ନୁହେଁ ।

 

ଅଲେଖ ବାବୁଙ୍କର କ୍ଷୀଣକଣ୍ଠରୁ ଶୁଣାଗଲା—ସେ ଯାହା ପଚାରୁଛନ୍ତି ତା’ର ଉତ୍ତର ଦିଅ ସଂଗୀତା, ସେ ହେଉଛନ୍ତି ବିଖ୍ୟାତ ରହସ୍ୟାନୁସନ୍ଧାନୀ ଜୟନ୍ତ ପାଣିଗ୍ରାହୀ ।

 

ଘରଭିତରେ ବଜ୍ରପାତ ହୋଇଥିଲେ ବୋଧହୁଏ ଝିଅଟି ଏତେ ଜୋର୍‌ରେ ଚମକି ଉଠି ନଥାନ୍ତା । ସେ ଥରକ ପାଇଁ ଜୟନ୍ତ ଆଡ଼େ ଚାହିଁଦେଇ କହିଲା—ପଚାରନ୍ତୁ—

 

ଜୟନ୍ତର ମନେ ହେଲା ଏହାପୂର୍ବରୁ ଝିଅଟିକୁ ସେ ଯେମିତି କେଉଁଠାରେ ଦେଖିଛି, କିନ୍ତୁ କେଉଁଠି ବୋଲି ଠିକ୍‌ ମନେପଡ଼ୁ ନଥିଲା । ଟିକିଏ ରହି ସେ ପଚାରିଲା—ଆଜି ସନ୍ଧ୍ୟାରେ ଧଳ ବାବୁ ଏଠିକି ଆସିବେ ବୋଲି ଯେଉଁ ଚିଠି ଲେଖିଥିଲେ ସେ ସମ୍ବାଦ କଣ ଅନ୍ୟ କେହି ଜାଣନ୍ତି ?

 

ଝିଅଟି ଟିକିଏ ଇତସ୍ତତଃ ହୋଇ କହିଲା—ନା ।

 

ତାପରେ ଜୟନ୍ତ ପଚାରିଲା—ଧଳ ବାବୁଙ୍କ ସହିତ ଆପଣଙ୍କର କେବେଠାରୁ ପରିଚୟ ହୋଇଛି ?

 

ଝିଅଟି କହିଲା—ବେଶିଦିନ ନୁହେଁ, ମାତ୍ର ପାଞ୍ଚ ଛଅ ଦିନ ହେବ । ତାଙ୍କ ସହିତ ମୋର ପ୍ରଥମ ପରିଚୟ କଳା ନିକେତନରେ ହୋଇଥିଲା, ତାପରେ ସେ ପରିଚୟ ଘନିଷ୍ଠତର ହୁଏ—କିନ୍ତୁ ସେଇ ସାମାନ୍ୟ କଥାବର୍ତ୍ତାରେ ସେ ମୋର ବନ୍ଧୁଶ୍ରେଣୀଭୁକ୍ତ ହୋଇଛନ୍ତି ।

 

ଜୟନ୍ତ କେବଳ କହିଲା—ହଁ ।

 

ତାପରେ କଣ ଭାବି କହିଲା—ଏଇଟା ଆପଣଙ୍କର ନିଶ୍ଚୟ ନିଜର ଘର ନୁହେଁ, କେତେଦିନ ହେଲା ଏଇଟା ଭଡ଼ା ନେଇଛନ୍ତି ?

 

—ତିନି ବର୍ଷ ହେବ ।

 

ଜୟନ୍ତ ବାଧା ଦେଇ ଧମକ ଦେବା ଭଙ୍ଗିରେ କହିଉଠିଲା ମିଛ କଥା ! ମାତ୍ର ସାତ ଦିନରୁ ବେଶି ହେବ ନାହିଁ ଏ ଘର ଭଡ଼ା ନେବାର—

 

ବାଧା ପାଇ ଝିଅଟି ଚୁପ୍‌ ହୋଇଗଲା । ଜୟନ୍ତ ପଚାରିଲା—କଣ ସତ ?

 

—ହଁ ।

 

—ଏ କାନ୍ଥରେ ପୂର୍ବତନ ମାଲିକଙ୍କ ନାମ ପେନସିଲ୍‌ରେ ଲେଖା ହୋଇଛି । ତା ସହିତ ଯେଉଁ ତାରିଖ ଦିଆଯାଇଛି ସେଇଟା ଦଶ ଦିନ ତଳର । ସୁତରାଂ....

 

ତାପରେ ଟିକିଏ ରହି ଜୟନ୍ତ ପଚାରିଲା—ଏ ବର୍ଷା ଅନ୍ଧାର ରାତିରେ ହଠାତ୍‌ ଆପଣ କୁଆଡ଼େ ଯାଇଥିଲେ ?

 

—ତଳ ବଜାରରେ ଥିବା ମୋର ଜଣେ ସାଙ୍ଗ ଘରକୁ...

 

—ପୁଣି ମିଛ କଥା କହୁଛନ୍ତି ! ଆପଣ ଏଇ ଆଖପାଖରେ କେଉଁଠି ଥିଲେ । ଏତେଗୁଡ଼ାଏ ବାଟ ଯିବା ଆସିବା କରିବାର କ୍ଳାନ୍ତି ଆପଣଙ୍କ ଦେହରେ କୌଣସିଠାରେ ନାହିଁ । କହନ୍ତୁ, କି ଉଦ୍ଦେଶ୍ୟରେ ଧଳ ବାବୁଙ୍କ ଭଳି ପ୍ରୌଢ଼ ଲୋକଙ୍କୁ ନଚେଇବାରେ ଲାଗିଛନ୍ତି ? କାହା ପାଖରୁ ଟଙ୍କା ପାଇ ଆପଣ ଏ କାମରେ ନିଯୁକ୍ତ ହେଇଛନ୍ତି ?

 

ତୀବ୍ରସ୍ୱରରେ ଝିଅଟି କହିଉଠିଲା—ସବୁ ମିଛ କଥା । ମତେ ଷଡ଼ଯନ୍ତ୍ରରେ ପକେଇବା ପାଇଁ ମିଛରେ ଚେଷ୍ଟା କରୁଛନ୍ତି...

 

ହସିଦେଇ ଜୟନ୍ତ କହିଲା—ଅଯଥା ଉତ୍ତେଜିତ ହୁଅନ୍ତୁ ନାହିଁ । ଆପଣ ଯେ କାହାଦ୍ୱାରା ନିୟୋଜିତ ହୋଇଛନ୍ତି ସେକଥା ମୁଁ ଜାଣେ; କିନ୍ତୁ ଆପଣ ନିଜେ ବି ଜାଣନ୍ତି ନାହିଁ । କେବଳ ପ୍ରଚୁର ଟଙ୍କା ନେଇ ଆପଣ ତାକୁ ଏ କାମରେ ସାହାଯ୍ୟ କରିଛନ୍ତି । ଭୟ ନାହିଁ, ଆପଣମାନଙ୍କ ଭଳି ଛୋଟ ଛୋଟଙ୍କ ସଙ୍ଗେ ମୋର କୌଣସି କାରବାର ନାହିଁ । ମୁଁ ଲାଲ୍‌ ଝଣ୍ଡାର ଦଳପତି ଆଉ ତାର ସାଙ୍ଗସାଥୀମାନଙ୍କୁ ଜାଣିବାକୁ ଇଚ୍ଛା କରୁଛି ।

 

ବାହାରେ ପ୍ରବଳ ହର୍ଣ୍ଣ ଶବ୍ଦ ଶୁଣାଗଲା ।

 

ଜୟନ୍ତ କହିଲା—ଏଇତ ପୋଲିସ ଇନ୍‌ସିପେକ୍ଟର ଆସିଗଲେଣି । ଆଉ ଚିନ୍ତା ନାହିଁ । ଏଥର ସେ ଆପଣଙ୍କୁ ନେଇ ଯାହା କରିବାର କଥା କରିବେ ।

 

ନିଜର ଦଳବଳ ଧରି ନରେନ୍‌ ଘର ଭିତରକୁ ପଶି ଆସି କହିଲେ—ଲାଲ୍‌ ଝଣ୍ଡା ଦଳପତି ମହୋଦୟ କୁଆଡ଼େ ଗଲେ ?

 

ଜୟନ୍ତ କହିଲା—ଆଉ ଟିକିଏ ଆଗରୁ ଆସିଥିଲେ ହୁଏତ ପାଇଥାଆନ୍ତ; କିନ୍ତୁ ଏହାମଧ୍ୟରେ ବସା ଫାଙ୍କା ହୋଇଯାଇଛି । ଅନେକ ଆଗରୁ ଚଢେଇ ଉଡ଼ିଯାଇଛି । ଏଇତ ତାର ଜଣେ ଅନୁଚର, ଏହାକୁ ନେଇ ହାଜତରେ ପୁରାଇପାର । ଏହା ପଛରେ ଚେଷ୍ଟା କଲେ ଅନେକ ତଥ୍ୟ ବାହାରିବାର ସମ୍ଭାବନା ଅଛି ।

 

କହୁ କହୁ ଜୟନ୍ତ ହାତଠାରି ଝିଅଟିକୁ ଦେଖାଇଦେଲା ।

 

ଠିକ୍‌ ସେତିକିବେଳେ ଗୋଟାଏ ଗୁଳି ଶବ୍ଦ ଶୁଣାଗଲା । ଝିଅଟି ଆର୍ତ୍ତନାଦ କରି ତଳେ ଲୋଟି ପଡ଼ିଲା ।

 

ଜୟନ୍ତ ଆଉ ନରେନ୍‌ ନିଜର ରିଭଲଭର୍‌ ଉଦ୍ୟତ କରି ଝରକା ଆଡ଼େ ଧାଇଁଗଲେ । ଦୂରରେ ଦେଖାଗଲା ଗୋଟାଏ କଳାପୋଷାକଧାରୀ ମୂର୍ତ୍ତି ଚାଲିଯାଉଛି । ଗୋଟାଏ ମୋଟର ସାଇକେଲ୍‌ରେ ସେ ଅଦୃଶ୍ୟ ହୋଇଗଲା ।

 

କ୍ଷୀଣ ହସି ଜୟନ୍ତ କହିଲା—ଲାଲ୍‌ ଝଣ୍ଡା ଦଳପତିର କାମ ଅନେକଟା ସାବଧାନୀ ।

 

।। ଆଠ ।।

 

ରାତିର ଅସୀମ କ୍ଳାନ୍ତି ଶେଷରେ ଜୟନ୍ତ ଯେତେବେଳେ ଘରକୁ ଫେରିଲା ସେତେବେଳୁ ଭୋର ହେବା ପାଇଁ ଅଳ୍ପ ବାକି ଅଛି । କେତେବେଳେ ଟଳିଟଳି ଆସି ସେ ଯେ ବିଛଣା ଉପରେ ଗଡ଼ିପଡ଼ିଛି ସେଇଟା ସେ ନିଜେ ବୋଧହୁଏ ଜାଣେ ନାହିଁ । ଯେତେବେଳେ ତାର ନିଦ ଭାଙ୍ଗିଲା ସେତେବେଳକୁ ସକାଳର ସୂର୍ଯ୍ୟ ଆକାଶର ଅନେକ ଉପରକୁ ଉଠି ଆସିଥିଲେ ।

ଚାକରଟି ଆସି ଡାକି ପକେଇଲା—ବାବୁ, ଅନେକ ବେଳ ହୋଇଗଲାଣି, ଏଥର ଉଠିପଡ଼ନ୍ତୁ ।

ଜୟନ୍ତ ଉଠି ବସୁ ବସୁ କହିଲା—କାଲି ରାତିରେ ଯେଉଁ ପରିଶ୍ରମ ନା, ଉଠିବାକୁ ବି ଇଚ୍ଛା ହେଉ ନାହିଁ । ଦୁଇଥର ତ ପ୍ରାଣ ଯିବା ଉପରେ ପହଞ୍ଚି ଯାଇଥିଲା । ଦେ ଛାଡ଼, ଗାଧୁଆଘରେ ପାଣି ରଖିଛୁ ତ ? ଗାଧୋଇ ପଡ଼ିଲେ ଟିକିଏ ଆରାମ ଲାଗିବ ।

ଚାକରଟି କହିଲା—ହଁ ବାବୁ, ଗାଧୋଇପଡ଼ନ୍ତୁ—ମୁଁ ଚା’ ଜଳଖିଆ ନେଇ ଆସୁଛି ।

ଗାଧୋଇ, ଚା’ ଜଳଖିଆ ଖାଇ ଜୟନ୍ତ ଯେତେବେଳେ ଖରବକାଗଜ ଖଣ୍ଡକ ଧରି ବସିଲା ସେତେବେଳେ ରାତିର କ୍ଳାନ୍ତି ତା ଦେହରୁ ଉଭେଇ ଯାଇଥିଲା ।

କିଛି ସମୟ ପରେ କାଗଜ ଉପରୁ ମୁହଁ ଉଠେଇ ଜୟନ୍ତ କହିଲା । —ଏତେବେଳ ହେଲାଣି—ସୁଧୀର ତ ଏ ପର୍ଯ୍ୟନ୍ତ ଫେରିଲା ନାହିଁ । କୁଆଡ଼େ ଯେ ବୁଲୁଛି !

ବିସ୍ମିତ ହୋଇ ଚାକରଟି କହିଲା—କି କଥା କହୁଛନ୍ତି ବାବୁ, କାଲି ଆପଣ ଫୋନ୍‌ ପାଇ ବାହାରିଯିବାର ଦେଢ଼ଘଣ୍ଟା ପରେ ତ ସାନବାବୁ ଫେରି ଆସିଥିଲେ ! ତାପରେ ଆପଣ ତ ତାଙ୍କୁ ଡକେଇ ପଠେଇଥିଲେ । ଆପଣଙ୍କ ସଙ୍ଗେ ଛୋଟ ବାବୁଙ୍କର ଫେରିବା ନଦେଖି ମୁଁ ଭାବୁଛି ତାଙ୍କୁ ଆପଣ କେଉଁଠିକି ପଠେଇଛନ୍ତି ।

ଜୟନ୍ତ ଆଶ୍ଚର୍ଯ୍ୟ ହୋଇ କହିଲା—ମୁଁ ତାକୁ ଡକେଇ ପଠେଇ ଥିଲି ? କିଏ କହିଲା ? ମୁଁ ସେକଥା ତ କରି ନାହିଁ ?

ଚାକରଟି ବିସ୍ମୟର ଶେଷ ସୀମାରେ ପହଞ୍ଚିଯାଇଥିଲା । ସେ କହିଲା—ହଁ, କାଲି ରାତିରେ ଜଣେ ଲମ୍ବା ଚଉଡ଼ା ଲୋକ ଆସି ସାନ ବାବୁଙ୍କୁ କହିଲେ ଯେ କଣ ଗୋଟାଏ ଜରୁରୀ ଦରକାରରେ ଆପଣ ତାଙ୍କୁ ଡକେଇଛନ୍ତି । ଏମିତିକି ସେ ଆପଣଙ୍କ ଲେଖା ଚିଠି ଖଣ୍ଡେ ବି ଦେଖାଇଲେ । ସେଥିପାଇଁ ବାବୁ ବସିବା ଯାଗାରୁ ଉଠି ତାଙ୍କ ସାଙ୍ଗରେ ବାହାରିଗଲେ ।

ଜୟନ୍ତର ଆଶ୍ଚର୍ଯ୍ୟର ମାତ୍ରା ଆହୁରି ବଢ଼ିଗଲା । ସେ କହିଲା—ମୁଁ ଚିଠି ଦେଇଥିଲି ? କାଇଁ ଦେଖେଁ ସେ ଚିଠି ?

—ସାନବାବୁଙ୍କ ଘରେ ଥିବ ବୋଧହୁଏ ।

ଦୁହେଁ ଏକସଙ୍ଗେ ସୁଧୀର ବଖରାକୁ ଗଲେ । ସୁଧୀର ଟେବୁଲ ଉପରେ ଦେଖାଗଲା ଖଣ୍ଡେ ଧଳା କାଗଜ ପଡ଼ିଛି—ତା’ ଉପରେ ଛୋଟ ଛୋଟ ଅକ୍ଷରରେ କେତୋଟି ଧାଡ଼ି ଲେଖା ହୋଇଛି—

ସୁଧୀର,

 

ତୋ କଥା ଅନୁସାରେ ଘଟଣାସ୍ଥଳକୁ ଯାଉଛି । କିନ୍ତୁ ତୋର ସାହାଯ୍ୟ ମୋର ନିହାତି ଦରକାର । ଚିଠି ପାଇବା ମାତ୍ରେ ତୁ ପତ୍ରବାହକ ସହିତ ଚାଲିଆସିବୁ । ଇତି ।

 

ଜୟନ୍ତ

 

ଜୟନ୍ତ ଭଲ ଭାବରେ ନିରୀକ୍ଷଣ କରି ଦେଖିଲା ତା ହାତଲେଖା ସହିତ ଚିଠିଟାର ଏତେ ସୁନ୍ଦର ମେଳ ରହିଛି ଯେ ସେଇଟା ଅସଲ କି ନକଲ ସହଜରେ ବୁଝିହେବ ନାହିଁ ।

 

ନିଜର ଅଜ୍ଞାତରେ ଜୟନ୍ତ କହିଉଠିଲା—ଲାଲ୍‌ ଝଣ୍ଡା ଦଳର ଅଦ୍ଭୁତ ଧୀ ଶକ୍ତି ଅଛି ।

 

ଚାକରଟି ପଚାରିଲା—ସାନବାବୁ କୁଆଡ଼େ ଯାଇଛନ୍ତି ବାବୁ ?

 

ଜୟନ୍ତ କହିଲା—ସେ ସଇତାନ୍‌ ଦଳର ପାଲରେ ପଡ଼ିଯାଇଛି ।

 

ସେମାନେ କେତେ ପାହୁଣ୍ଡ ଆଗେଇ ଆସି ବାରଣ୍ଡା ଉପରେ ଗୋଡ଼ ଦେବା ମାତ୍ରେ ଜୟନ୍ତ ଦେଖିପାରିଲା ଗୋଟାଏ ଅଦ୍ଭୁତ ଲଫାପା ସେଠାରେ ପଡ଼ିଛି । କାଲି ରାତିର ଅନ୍ଧାରରେ ସେ ସେଇଟା ଦେଖିପାରିନାହିଁ ।

 

ଜୟନ୍ତ ଲଫାପା ଖଣ୍ଡକ ଉଠେଇନେଇ ତାର ମୁହଁ ଖୋଲିବା ମାତ୍ରେ ତା ଭିତରୁ ଖଣ୍ଡେ ଛୋଟ କାଗଜ ବାହାରିଲା । ସେଥିରେ ଲେଖାଥିଲା—

 

ପ୍ରିୟ ବନ୍ଧୁବର,

 

ଲାଲ୍‌ ଝଣ୍ଡା ଦଳପତି କୌଣସି ଦିନ ପ୍ରତିହିଂସା ନେବାରେ ଭୁଲ୍‌ କରେ ନାହିଁ । ତୁମର ସହକାରୀଟିକୁ ନେଇଗଲି । ଯଦି ସାଧ୍ୟ ଥାଏ, ତେବେ ତୁମର ସମଗ୍ର ପୋଲିସ ବାହିନୀ ସାହାଯ୍ୟରେ ମୋ ହାତରୁ ଛଡ଼ାଇ ନେଇ ପାର । ଏହାପରେ ତୁମ ପାଳି । ଆଶାକରେ ଏଥର ଭଲ ଭାବରେ ବୁଝି ପାରୁଥିବ ଯେ ଲାଲ୍‌ ଝଣ୍ଡା ଦଳ ତାର କଥା ରଖି ଜାଣେ । ଇତି ।

 

ଲାଲ୍‌ ଝଣ୍ଡା

 

ଜୟନ୍ତ କପାଳରେ ଟୋପା ଟୋପା ଝାଳ ଫୁଟିଉଠିଲା । ଅସହ୍ୟ କ୍ରୋଧରେ ତାର ସର୍ବାଙ୍ଗ କମ୍ପି ଉଠିଲା । ମୁହୂର୍ତ୍ତକ ମଧ୍ୟରେ ସେ ଯେମିତି ଭୀଷଣ ଆକାର ଧାରଣ କଲା । ଲାଲ୍‌ ଝଣ୍ଡାର ଦଳପତିକୁ ଆଗରେ ପାଇଲେ ସେ ଯେମିତି ତଣ୍ଟିଚିପି ମାରିବା ପାଇଁ ଦ୍ୱିଧା ବୋଧ କରିବନି ।

 

ଚାକରଟି ଡରି ଡରି ପଚାରିଲା—କଣ ହେଲା ବାବୁ ?

 

ଦାନ୍ତରେ ଦାନ୍ତ ଘଷୁ ଘଷୁ ଜୟନ୍ତ କହିଲା—ବଦମାସର ଦିନ କାଳ ଶେଷ ହୋଇ ଆସୁଛି । ବଦମାସକୁ ଏମିତି ଚେତେଇ ଦେବି ଯେ ତା କଥା ଚିନ୍ତା କରି ଅନ୍ୟମାନେ ବି ଭୟରେ ଥରି ଉଠିବେ । ଆଉ ମୁହୂର୍ତ୍ତେ ବି ସମୟ ମୁଁ ତାକୁ ଦେବିନି ।

 

ଆଉ କପେ ଚା’ ପିଇ ଜୟନ୍ତ ଗ୍ୟାରେଜରୁ ଗାଡ଼ି କାଢ଼ି ବାହାରି ପଡ଼ିଲା । ଗଲାବେଳେ ଚାକରଟିକୁ କହି ଦେଇଗଲା—ମାଆଙ୍କୁ କହିଦେବୁ ମୁଁ ସାଙ୍ଗରେ ସାନବାବୁଙ୍କୁ ନେଇ ଫେରିବି ।

 

ଫାଟକ ପାର ହୋଇ ଗାଡ଼ି ରାସ୍ତା ଉପରକୁ ଉଠିଲା ।

 

।। ନଅ ।।

 

ସଦେଇ ବେହେରା ଚା’ ଦୋକାନ କଥା ଆଗରୁ କୁହା ଯାଇଛି । ମୁଖ୍ୟରାସ୍ତାର ଅଳ୍ପ ଦୂରରେ ଏ ଦୋକାନଟି । ସେପଟ ରାସ୍ତାରେ ଲୋକ ଚଳାଚଳ ଖୁବ୍‌ ଅଳ୍ପ ।

 

ଗାଡ଼ିଖଣ୍ଡକ ଗୋଟାଏ ଜଙ୍ଗଲିଆ ଜାଗାରେ ଲୁଚେଇ ଦେଇ ଜୟନ୍ତ ଦିନସାରା ଏ ଦୋକାନଟା ଉପରେ ନଜର ରଖିଛି । ସର୍ବାଙ୍ଗରେ ଘାଆ, ଗୋଟାଏ ଗୋଡ଼ ଛୋଟା ଯେଉଁ ଭିଖାରୀଟା ଦୋକାନଠାରୁ ଅଳ୍ପଦୂରରେ ବସି ବିକଳ ହୋଇ ଭିକ୍ଷା ମାଗୁଛି, ସେ ଯେ ବିଖ୍ୟାତ ରହସ୍ୟାନୁସନ୍ଧାନୀ ଜୟନ୍ତ ପାଣିଗ୍ରାହୀ ସେଇଟା ବୁଝିବା ଖୁବ୍‌ ପରିଚିତ ଲୋକ ପକ୍ଷେ ମଧ୍ୟ ଅସମ୍ଭବ-

 

ରାସ୍ତାଉପର ଦେଇ ଯାଉଥିବା ପ୍ରତ୍ୟେକ ଲୋକଙ୍କୁ ଲକ୍ଷ୍ୟ କରି ଅନେକ କଥା ଶୁଣିଲେ ବି ଲାଲ୍‌ ଝଣ୍ଡା ଦଳର ଦଳପତି ଆଉ ତାର ଅବସ୍ଥାନ ସ୍ଥାନ ବିଷୟରେ କୌଣସି ନିର୍ଦ୍ଦିଷ୍ଟ ଧାରଣା ହୋଇ ନାହିଁ । ତେବେ ତାର ଦଳ ବଳ ଯେ ଆଖ ପାଖରେ ଖେଳେଇ ହୋଇ ରହିଛନ୍ତି ସେଇଟା ସେ ସ୍ପଷ୍ଟ ଭାବରେ ବୁଝିପାରିଛି । ଅନେକଙ୍କ ମୁହଁରୁ ସେ ଶୁଣିଛି, ‘ଦଳପତି’ କଥା, କିନ୍ତୁ କିଏ ଯେ ଏମାନଙ୍କର ଦଳପତି ଏବଂ କିଭଳି ଭାବରେ ତାର ଆଦେଶ ପ୍ରଚାରିତ ହୁଏ ତାର ତିଳେହେଲେ ବି ଆଭାସ ସେ ପାଇପାରି ନାହିଁ ।

 

ରାତି ଟିକିଏ ଅଧିକ ହେବାରୁ ଦେଖାଗଲା ଚା’ ଦୋକାନଟି ବନ୍ଦ ହୋଇଗଲା । ଦୋକାନରେ ତାଲା ପକାଇ ସଦେଇ ବେହେରା ଆଉ ତାର କପ୍‌ପ୍ଲେଟ୍‍ ଧୁଆ ଚାକର ଘନଶ୍ୟାମ ଲଣ୍ଠନ ଧରି ଘରକୁ ବାହାରିଲେ । ଜୟନ୍ତ ପାଖ ଦେଇ ଯିବାବେଳେ ଜୟନ୍ତ ହାତ ପତାଇ କହିଲା–ବାବୁ, ଏ ଛୋଟାଟାକୁ କଣ ଅନୁଗ୍ରହ ହେଇଯାଉ...

 

ତା ମୁହଁର କଥା ଶେଷ ହେବା ଆଗରୁ ସଦେଇ ବେହେରା ଆଉ ତାର ସଙ୍ଗୀ ଘନଶ୍ୟାମ ନାକଟେକି କହିଉଠିଲେ—ସଦାବେଳେ ଏ ମାଗିଖିଆଗୁଡ଼ାଙ୍କର ଉତ୍ପାତ ଲାଗିଛି ! ଏମାନଙ୍କ ଅଦଉତି ସମ୍ଭାଳି ହେବନି ।

 

ଘନଶ୍ୟାସ ସାମାନ୍ୟ କେତେଟା ଟଙ୍କା ପାଇଁ ସଦେଇ ବେହେରା ଦୋକାନରେ କପ୍‌ପ୍ଲେଟ ଧୁଏ । ତା ମୁହଁରୁ ଏଭଳି କଥା ଶୁଣି ଜୟନ୍ତର ଧାରଣା ହେଲା, ତାର ବି ନିଶ୍ଚୟ କିଛି ଉପୁରି ଆୟର ରାସ୍ତା ଖୋଲା ଅଛି, ନହେଲେ ଏତେ ବଡ଼ କଥା ତା ମୁହଁରୁ ବାହାରି ନଥାନ୍ତା ।

 

ସେମାନେ ଚାଲିଗଲେ । ଜୟନ୍ତ ଚୁପ୍‌ ଚାପ ବସିରହିଲା । ପନ୍ଦର ମିନିଟ କଟିଗଲା । ତାପରେ ଅଧଘଣ୍ଟାଏ—

 

କିଏ ଜଣେ ଯେମିତି ଧୀରେ ଧୀରେ ଦୋକାନ ଆଡ଼େ ଆଗେଇ ଆସୁଛି । ଟିକିଏ ପରେ ତାଲା ଖୋଲି ମୂର୍ତ୍ତିଟା ଦୋକାନ ଭିତରେ ପ୍ରବେଶ କଲା । ଦ୍ୱାରଟା ବନ୍ଦ ହୋଇଗଲା । ଝରକା ଫାଙ୍କ ଦେଇ ଗୋଟାଏ ଆଲୋକ ରେଖା ଆସି ରାସ୍ତା ଉପରେ ପଡ଼ିଲା ।

 

ଠେଙ୍ଗାରେ ଭାର ଦେଇ ଜୟନ୍ତ ଛୋଟେଇ ଛୋଟେଇ ଦୋକାନ ଆଡ଼େ ଆଗେଇ ଚାଲିଲା । ତାପରେ ଝରକାର ସେଇ କଣା ବାଟ ଦେଇ ଅନେକ କଷ୍ଟରେ ଭିତରେ ନଜର ବୁଲେଇଲା ।

 

ଭିତରେ ନଜର ବୁଲାଇବା ମାତ୍ରେ ସେ ଯେଉଁ ଦୃଶ୍ୟ ଦେଖିବାକୁ ପାଇଲା ସେଇଟା ଯେମିତି ଆଶ୍ଚର୍ଯ୍ୟ, ସେମିତି ଅଭୂତପୂର୍ବ !

 

ଜଣେ ଲୋକ ସର୍ବାଙ୍ଗରେ କଳାପୋଷାକରେ ଆବୃତ, ମୁହଁରେ ମୁଖା ପିନ୍ଧି ତା ଆଡ଼କୁ ପଛ କରି ବସିଛି । ତା ଆଗରେ ଗୋଟାଏ ଟ୍ରାନ୍‌ସମିଟର ଖଞ୍ଜା ଯାଇଛି ।

 

ସେ ଯେମିତି ଅବୋଧ୍ୟ ଭାଷାରେ କଣଗୁଡ଼ାଏ କହିଚାଲିଛି । ଯେମିତି କାହାକୁ ଗୋଟାଏ କୌଣସି ଅଜଣା ନିର୍ଦ୍ଦେଶ ଦେଉଛି, ଯାହାକି ଜୟନ୍ତ ମୋଟେ ଧାରଣା କରି ପାରୁ ନାହିଁ ।

 

ଜୟନ୍ତ ଟିକିଏ ବ୍ୟସ୍ତ ହୋଇପଡ଼ିଲା । କଣ କରାଯିବ ମୋଟେ ସ୍ଥିର କରି ପାରିଲାନି । ତା ଦେହରେ ଯେମିତି ବିଦ୍ୟୁତର ଶିହରଣ ଖେଳିଗଲା । ଅଣ୍ଟାରେ ଥରେ ହାତମାରି ଦେଖିଲା ତାର ରିଭଲଭର୍‌ଟା ଯଥାସ୍ଥାନରେ ଅଛି । ତାପରେ ପୁଣି ଲୋକଟି ଆଡ଼େ ମନଯୋଗ ଦେଲା ।

 

କିଛି ସମୟ ପରେ ଭିତରର ଲୋକଟି ଟିକିଏ ଯେମିତି ବ୍ୟସ୍ତ ହୋଇ ଉଠିଲା । ଟିକିଏ ତୀବ୍ର ସ୍ୱରରେ କହିଲା—ହଁ, ହଁ, ମୁଁ ଯାହା କହୁଚି ତାର ତିଳେ ମାତ୍ର ବ୍ୟତୀକ୍ରମ ଯେମିତି ନହୁଏ ! ସୁଧୀରକୁ ସେ ଭୂଗର୍ଭସ୍ଥ କକ୍ଷରେ ବନ୍ଦୀ କରି ରଖିବ । ଯେଭଳି ଭାବରେ ହେଉ ଜୟନ୍ତ ପାଣିଗ୍ରାହୀକୁ କାଲି ସକାଳ ହେବା ଆଗରୁ ବନ୍ଦୀ କରିବାକୁ ହେବ ।

 

ତାପରେ ଟିକିଏ ରହି କହିଲା—କ’ଣ କହିଲ ? ଜୟନ୍ତ ପାଣିଗ୍ରାହୀ ଦିନସାରା ତା ଘରେ ଚୁପ୍‌ଚାପ ଶୋଇଛି । ତାର ସହକାରୀ ଅଦୃଶ୍ୟ ହେବାରେ ସେ ଟିକିଏ ବି ବିଚଳିତ ହୋଇ ନାହିଁ ! ଆଶ୍ଚର୍ଯ୍ୟ । କିନ୍ତୁ ଦରକାର ହେଲେ ତାକୁ ଭୁଲେଇ ଆଣି ଜାଲ ଭିତରେ ପୁରାଇବାକୁ ହେବ-

 

ଜୟନ୍ତ ଶୁଣି ମନେ ମନେ ହସି ଉଠିଲା । ସେ ତାର ଶୋଇବା ଘରେ ତକିଆଗୁଡ଼ିକୁ ଏଭଳି ସଜାଡ଼ି ଚଦର ଘୋଡ଼ାଇ ଦେଇ ଆସିଛି ଯେ ଯାହା ଦେଖି ଲାଲ୍‌ ଝଣ୍ଡା ଦଳର ଲୋକେ ଜୟନ୍ତ ପାଣିଗ୍ରାହୀ ନିଶ୍ଚିନ୍ତରେ ଶୋଇଛି ବୋଲି ମନେ କରିଛନ୍ତି । କିନ୍ତୁ ଏ ଅଭିନୟ ଆଉ ବେଶି ସମୟ ଚଳିବନି । ଥରେ ସେମାନେ ଜାଣିଗଲେ ଯଥେଷ୍ଟ ସାବଧାନତା ଅବଲମ୍ବନ କରିବେ ।

 

ଜୟନ୍ତ ଶୁଣିପାରିଲା କଳାପୋଷାକଧାରୀ ଲୋକଟି କହିଚାଲିଛି—ଜୟନ୍ତ ପାଣିଗ୍ରାହୀ ଆଉ ତାର ସହକାରୀକୁ ମୁଁ ଏକ ସଙ୍ଗେ ସମାଧି ଦେବି । ଆଉ ଅଲେଖ ବିହାରୀ ଧଳ ଉପରେ ବି ଏଥର ଆକ୍ରମଣ ଆରମ୍ଭ ହେବ । ତୁମ ଭିତରୁ ତିନି ଜଣ ସେଠାକୁ ଚାଲିଯାଅ ।

 

ଅଲେଖ ଧଳକୁ ଜୟନ୍ତ ପାଣିଗ୍ରାହୀ ନାମରେ ଜାଲଚିଠି ଦେଇ ଘର ଭିତରୁ ବାହାରକରି ଆଣିବ । ତାପରେ ତାକୁ ଜାଲରେ ପକେଇବ । ବଦମାସ ପାଖରୁ ଆଉ ଟିକିଏ ଚାପଦେଇ ଟଙ୍କାଟା ଆଦାୟ କରିବାକୁ ହେବ । ଆଗେ ଚେକ୍‍ଟା ହାତକୁ ଆସିଯାଉ—ତାପରେ ତାକୁ ଶେଷ କରିଦେବା ପାଇଁ ମୋ ମନରେ ଟିକିଏ ବି ମମତା ଦେଖା ଦେବନି । ସେ ବଦମାସକୁ ଦେଖାଇ ଦେବାକୁ ହେବ ଜୟନ୍ତ ପାଣିଗ୍ରାହୀ ଅପେକ୍ଷା ଲାଲ୍‌ ଝଣ୍ଡା ଦଳର କ୍ଷମତା ଅନେକ ବେଶି ।

 

ଆଉ ବିଶେଷ କିଛି ଶୁଣିବାର ଇଚ୍ଛା ଜୟନ୍ତର ନଥିଲା । ସେ ଧୀରେ ଧୀରେ ଦ୍ୱାର ପାଖକୁ ଯାଇ ରିଭଲଭର୍‌ଟା ବାହାର କଲା । ତାପରେ ଉଦ୍ୟତ ରିଭଲଭର୍‌ଟା ଧରି ଦ୍ୱାରଟାକୁ ଠେଲି ଗୋଟାଏ କଦମ୍‌ରେ ଯାଇ ଲାଲ୍‌ ଝଣ୍ଡା ଦଳପତିର ଠିକ୍‌ ପଛରେ ଠିଆ ହେଲା । ହୁଙ୍କାର ଦେଇ କହିଲା—ମୁଣ୍ଡ ଉପରକୁ ହାତ ଉଠାଅ ଲାଲ୍‌ ଝଣ୍ଡାର ଦଳପତି !

 

କଳାମୁଖା ପିନ୍ଧା ଲୋକଟି ଥରେ ଜୟନ୍ତ ଆଡ଼େ ଚାହିଁଲା, ଆଉଥରେ ହାତର ଉଦ୍ୟତ ଲିଭରଭର୍‌ଟି ଆଡ଼େ ଦୃଷ୍ଟି ପକେଇଲା । ତାପରେ ହାତ ଦୁଇଟା ଉପରକୁ ଉଠାଇ ହସି ହସି କହିଲା–ଓ, ତୁମେ ଜୟନ୍ତ ପାଣିଗ୍ରାହୀ ? ତୁମର ବୁଦ୍ଧିକୁ ପ୍ରକୃତରେ ପ୍ରଶଂସା କରିବାର କଥା । ତୁମର ବହୁରୂପର କୌଶଳ କଥା ଅନେକ ଶୁଣିଛି ସତ, ତେବେ ତୁମେ ଯେ ଭିଖାରୀ ବେଶରେ ଆମମାନଙ୍କ ଆଖି ଆଗରେ ଠିଆ ହୋଇ କାମ କରିଯିବ ସେଇଟା ମୋର ଧାରଣା ବାହାରେ ଥିଲା...

 

ଜୟନ୍ତ କହିଲା—ଏଥର ତୁମ ଲୀଳାର ସମାପ୍ତି ଘଟିବ !

 

ଲୋକଟି ଉଚ୍ଚ ସ୍ୱରରେ ହସି ଉଠି କହିଲା—ଲାଲ୍‌ ଝଣ୍ଡାର ଦଳପତିକୁ ତୁମେ ଗିରଫ କରିବ ଜୟନ୍ତ ପାଣିଗ୍ରାହୀ ? ତୁମର ଯଥେଷ୍ଟ ସାହସ ଅଛି ଦେଖୁଛି—

 

ମୁହୂର୍ତ୍ତକ ମଧ୍ୟରେ କଣ ଯେ ଘଟିଗଲା ଜୟନ୍ତ ସେଇଟା ଆଦୌ ବୁଝି ପାରିଲାନି । ଲୋକଟି ଘରର ଗୋଟାଏ ସ୍ଥାନରେ ନିଜ ପାଦର ଚାପ ଦେଲା । ତାପରେ ଗୋଟାଏ ପ୍ରଚଣ୍ଡ ଶବ୍ଦ ଶୁଣାଗଲା । ଚାରିଆଡ଼ ଯେମିତି ପ୍ରବଳ ଭାବରେ ଥରି ଉଠିଲା । ଜୟନ୍ତ ମୁଣ୍ଡରେ ଯେମିତି ଆକାଶଟା ଛିଣ୍ଡିପଡ଼ିଲା । ଜ୍ଞାନଶୂନ୍ୟ ହୋଇ ସେ ଲୋଟିପଡ଼ିଲା । କେବଳ ଶୁଣା ଯାଉଥିଲା ଲାଲ୍‌ ଝଣ୍ଡା ଦଳପତିର ବିକଟ ହସର ଧ୍ୱନୀ ।

 

ରାତିଅଧର ଗାଢ଼ ଅନ୍ଧକାରାଛନ୍ନ ଆକାଶ ସେତେବେଳକୁ ଅଗ୍ନିର ଲେଲିହାନ ଶିଖାରେ ଆଲୋକିତ ହୋଇ ଉଠିଛି । ସଦେଇ ବେହେରା ଦୋକାନ ନିମିଷକ ମଧ୍ୟରେ ପାଉଁଶ ହୋଇଯିବାକୁ ଲାଗିଲା ।

 

।। ଦଶ ।।

 

ହଠାତ୍‌ ରାତିର ମଧ୍ୟ ଭାଗରେ ଟେଲିଫୋନ୍‌ର ଝଣ୍‌-ଝଣ୍‌ ଶବ୍ଦରେ ଅଲେଖ ବିହାରୀ ଧଳଙ୍କ ନିଦଟା ଭାଙ୍ଗିଗଲା । ସେ ଧାଇଁ ଯାଇ ରିସିଭରଟା ଉଠାଇ ପଚାରିଲେ—ହ୍ୟାଲୋ, କିଏ କହୁଛନ୍ତି ?

ଅପର ପାଖରୁ ଅବିକଳ ଜୟନ୍ତ ପାଣିଗ୍ରାହୀ ସ୍ୱରରୁ ଶୁଣାଗଲା—ମୁଁ ଜୟନ୍ତ ପାଣିଗ୍ରାହୀ କହୁଛି, ଧଳ ବାବୁ ।

ଟିକିଏ ବିସ୍ମିତ ହୋଇ ଅଲେଖ ବାବୁ ପଚାରିଲେ—ହଠାତ୍‌ ଏତେ ରାତିରେ ମୋ ସହିତ ଯୋଗାଯୋଗ ସ୍ଥାପନର କଣ ଦରକାର ପଡ଼ିଲା ?

ଅପର ପାଖରୁ ଶୁଣାଗଲା—ହଁ, ଆପଣଙ୍କୁ ମୋର ଜରୁରୀ ଦରକାର ଅଛି । ଲାଲ୍‌ ଝଣ୍ଡାଦଳର ସମସ୍ତ ଷଡ଼ଯନ୍ତ୍ର ଭେଦ କରି ମୁଁ ତାଙ୍କୁ ଗିରଫ କରିଛି । ବର୍ତ୍ତମାନ ସେ କହୁଛି ଯେ ଆପଣ କୋଉଠି ଅତୀତର କୌଣସି ଗୋଟାଏ ହତ୍ୟାକାଣ୍ଡର ହତ୍ୟାକାରୀ ନିଳାମ୍ବର ଦାସ । କିନ୍ତୁ ମୁଁ ସେଇଟା ମୋଟେ ବିଶ୍ୱାସ କରୁନି । ମୋର ମନେହୁଏ ଅନ୍ୟ କୌଣସି ଉଦ୍ଦେଶ୍ୟ ରଖି ସେ ଏକଥା କହୁଛି । ଏ କଥାଟା ମୁଁ ଆପଣଙ୍କର ସାହାଯ୍ୟରେ ପ୍ରମାଣ କରିବାକୁ ଇଚ୍ଛା କରୁଛି ।

ଅଲେଖ ବାବୁ ଅନେକ କଷ୍ଟରେ ନିଜର ବିଚଳିତ ଭାବକୁ ଦମନକରି କହିଲେ—ନା ନା, ସେଗୁଡ଼ାକ ଖାଲି ଧପ୍‌ପାବାଜି କଥା ! ମୁଁ ନୀଳାମ୍ବର ଦାସ ହେବାତ ଦୂରର କଥା, ସେଭଳି ନାମର କୌଣସି ଲୋକକୁ ବି ଚିହ୍ନେନି । ଛାଡ଼ନ୍ତୁ ସେକଥା,ମୁଁ ବର୍ତ୍ତମାନ ଯାଉଛି । ଲାଲ୍‌ ଝଣ୍ଡା ଦଳପିତକୁ ଯେ ଗିରଫ କରିଛନ୍ତି ସେଥିରେ ମୁଁ ଯେ କି ପରିମାଣରେ ଖୁସି ହୋଇଛି ସେଇଟା କଥାରେ କହିପାରୁନି ! ଆପଣ ବର୍ତ୍ତମାନ କୋଉଁଠୁ କହୁଛନ୍ତି ?

ଅପର ପାଖରୁ ଶୁଣାଗଲା—ନବାବଖଣ୍ଡି ମୁଖ୍ୟ ରାସ୍ତାରୁ ଯେଉଁ ରାସ୍ତା ମହାନ୍ତି ସାହି ଆଡ଼େ ଯାଇଛି ସେହି ରାସ୍ତାର ଶେଷରେ ଡାହାଣ ପାଖକୁ ଥିବା ଟାଇଲ ଛାତ ଘରୁ ମୁଁ କହୁଛି । ଶିଘ୍ର ଆସନ୍ତୁ ।

ଅଲେଖ ବାବୁ କହିଲେ—ଅଶେଷ ଧନ୍ୟବାଦ ।

ତାପରେ ତଳମହଲାରୁ ଓହ୍ଲାଇ ଆସି ଡ୍ରାଇଭରକୁ ଗାଡ଼ି ବାହାର କରିବା ପାଇଁ କହିଲେ-। ତାଙ୍କୁ ଧରି ଗାଡ଼ିଟା ଯେତେବେଳେ ଦ୍ରୁତଗତିରେ ଆଗେଇବାରେ ଲାଗିଲା ସେତେବେଳକୁ ରାତି ଦୁଇଟା ବାଜିଗଲାଣି ।

ନବାବ୍‌ଖଣ୍ଡି ମୁଖ୍ୟ ରାସ୍ତାରୁ ଯାଇଥିବା ମହାନ୍ତି ସାହି ରାସ୍ତାଧରି କିଛିଦୂର ଗାଡ଼ିଟା ଯିବା ପରେ ଠିଆ ହୋଇଗଲା । ଆଗକୁ ରାସ୍ତା ସରୁ, ଗାଡ଼ି ଯାଇପାରିବ ନାହିଁ ।

ଅଲେଖ ବାବୁ ବାଧ୍ୟହୋଇ ଗାଡ଼ିରୁ ଓହ୍ଲାଇ ଧୀରେ ଧୀରେ ଆଗେଇବାକୁ ଲାଗିଲେ । ଡ୍ରାଇଭର ଚୁପ୍‌ଚାପ୍‌ ଗାଡ଼ି ଭିତରେ ବସିରହିଲା ।

ଅନ୍ଧାର ଭିତରେ ପାଦ ଚିପିଚିପି କିଛିଟା ଆଗେଇ ଡାହାଣ ପାଖରେ ଗୋଟାଏ ଟାଇଲ ଛାତଘର ଦେଖି ପାରିଲେ । ଅଲେଖ ବାବୁ ଗୋଟାଏ ସ୍ୱସ୍ତିର ନିଃଶ୍ୱାସ ପକେଇଲେ । ସେ ଠିକଣା ଯାଗାରେ ଆସି ପହଞ୍ଚି ଯାଇଛନ୍ତି ।

ଘରଟା ନିଝୁମ ଅନ୍ଧାର ଭିତରେ ଯେମିତି ବୁଡ଼ିଯାଇଛି । ଭିତରର କୌଣସି ଗୋଟାଏ ବଖରାରେ କ୍ଷୀଣ ଆଲୋକ ଦେଖା ଯାଉଥିଲା ।

 

ଅଲେଖ ବାବୁ ଥରେ ମାତ୍ର ଚିତ୍କାର କରି ଲୋଟି ପଡ଼ିଲେ ।

 

ଏଣେ କେତେ ଜଣ ଲୋକ ସେତେବେଳକୁ ତାଙ୍କର ଡ୍ରାଇଭରଟିକୁ କାବୁ କରି ଦେଇ ସାରିଥିଲେ ।

 

ଅଲେଖ ବାବୁ ଯେ ଗୋଟାଏ ମସ୍ତବଡ଼ ଚକ୍ରାନ୍ତ ଜାଲରେ ପଡ଼ି ଯାଇଛନ୍ତି, ସେକଥା ଭଲ ଭାବରେ ବୁଝିବା ଆଗରୁ ଲାଲ୍‌ ଝଣ୍ଡା ଦଳ ହାତରେ ସେ ବନ୍ଦୀ ହେଲେ ।

 

ତାଙ୍କୁ ଭଲଭାବରେ ବାନ୍ଧିପକେଇ, ମୁହଁରେ ଗୋଟାଏ ରୁମାଲ ମୁଁ ଗୁଞ୍ଜି ଦେଇ ଜମିର ଖାଁ କହିଲା—ଯାହାହେଉ; ଏତେ ଦିନ ପରେ ଗୋଟାଏ ମସ୍ତବଡ଼ ଶିକାର ଜୁଟିଗଲା । ଦଳପତି ଏଥର ନିଶ୍ଚୟ ମୋଟା ପୁରସ୍କାର ଦେବେ ।

 

ତା ସାଙ୍ଗରେ ଫକୀର ସିଂ ଥିଲା । ହସି ହସି ସେ କହିଲା—ଆରେ ଜନ୍ତା ବସେଇ ସମସ୍ତେ ବାଘ ଧରିପାରନ୍ତି । ମୋର ଫୋନ୍‌ କରିବାଟା ତ ଦେଲା ଅସଲ କାମ । ଜୟନ୍ତ ପାଣିଗ୍ରାହୀ ସ୍ୱରକୁ ମୁଁ ଏମିତି ନକଲ କରିଥିଲି ଯେ ଏ ଧଳର ବାପ ହେଲେ ବି ଜାଣିପାରି ନଥାନ୍ତା-

 

ଜମିର୍‌ ଖାଁ ବିକୃତ ହସ ହସି କହିଲା—ଅସଲ ଜୟନ୍ତ ପାଣିଗ୍ରାହୀ ଏତେବେଳକୁ ସେଇ ମାଟିତଳ ଘରେ ଶୋଇ ଶୋଇ ନିଜର ମୃତ୍ୟୁ ସମୟକୁ ଅପେକ୍ଷା କରିଥିବ ।

 

ଦୁହେଁ ଏକ ସଙ୍ଗେ ଜୋର୍‌ରେ ହସି ଉଠିଲେ ।

 

।। ଏଗାର ।।

 

ଧୀରେ ଧୀରେ ଜୟନ୍ତର ଜ୍ଞାନ ଫେରି ଆସିଲା । ଅନେକଗୁଡ଼ାଏ ଦିନ ଶୋଇବା ପରେ ସେ ଯେମିତି ଆଖି ଫିଟାଇ ଚାହିଁଲା ।

 

ହଲଚଲ ହେବାର ଚେଷ୍ଟା କରି ଦେଖିଲା ତାର ଗୋଡ଼ ହାତ ଖୁବ୍‌ ଦୃଢ଼ ଭାବରେ ବନ୍ଧା ହୋଇଛି । ସନ୍ତସନ୍ତିଆ ଓଦା ମାଟି ଉପରେ ସେ ଶୋଇ ରହିଛି । ଚାରିଆଡ଼ ଗାଢ଼ ଅନ୍ଧାର ।

 

ସେ ଧୀରେ ଧୀରେ ଦୀର୍ଘନିଃଶ୍ୱାସ ଛାଡ଼ିଲା । ସାମାନ୍ୟ ଭୁଲ୍‌ ପାଇଁ ଆଜି ତାକୁ ଲାଲ୍‌ ଝଣ୍ଡା ଦଳ ହାତରେ ଏଭଳି ବନ୍ଦୀ ହେବାକୁ ହୋଇଛି ।

 

କମରରେ ଅନୁଭବ କରି ଦେଖିଲା ସେଠାରେ ରିଭଲଭର୍‌ଟା ନାହିଁ । ପ୍ୟାଣ୍ଟପଟି ଖୋପରେ ଛୁରିଟା ଏବେ ବି ରହିଛି । କିନ୍ତୁ ଗୋଡ଼ ହାତ ଯେଭଳି ଭାବରେ ବନ୍ଧାଯାଇଛି ସେଥିରେ ଛୁରିଟା ପାଇବାର କୌଣସି ଉପାୟ ନାହିଁ ।

 

ଜୟନ୍ତ ମାଟି ଉପରେ ହାତଟା ଘଷିବାରେ ଲାଗିଲା । କିନ୍ତୁ ସେଥିରେ କୌଣସି ଲାଭ ହେଲା ନାହିଁ । ଓଦା ସନ୍ତସନ୍ତିଆ ମାଟିରେ ଦିନସାରା ଘଷିଲେ ବି ହାତ ଦୁଇଟା ମୁକ୍ତ ହେବନାହିଁ । ବ୍ୟର୍ଥ କ୍ଷୋଭରେ ସେ ଦୀର୍ଘନିଃଶ୍ୱାସ ଛାଡ଼ିଲା ।

 

ସେପାଖରୁ ଦୀର୍ଘଶ୍ୱାସ ଶୁଣି କିଏ ଯେମିତି ଫୁସ୍‌ଫୁସ୍‌ ହୋଇ ପଚାରିଲା—କିଏ ?

 

ଜୟନ୍ତର ସମସ୍ତ ଅନୁଭବ ଶକ୍ତି ଯେମିତି ତୀକ୍ଷ୍‌ଣ ହୋଇ ଉଠିଲା । ସେ ବି ଫୁସିଫୁସ୍‌ ହୋଇ କହିଲା—କିଏ ଏଠାରେ ? ଯିଏ ହୁଅନ୍ତୁ ନା କାହିଁକି, ଆପଣ ନିଶ୍ଚୟ ଏ ଦଳ ହାତରେ ବନ୍ଦୀ-?

 

ସେପାଖରେ ଉତ୍ତର ଶୁଣି ଜୟନ୍ତ ସ୍ୱରଟା ସ୍ପଷ୍ଟ ଭାବରେ ଚିହ୍ନି ପାରିଲା । ଖୁସି ହୋଇ କହିଲା—ଆରେ ସୁଧୀର, ତୁ ବି ଏଠାରେ ?

 

ସୁଧୀର ବୋଧହୁଏ ଜୟନ୍ତର ସ୍ୱର ଶୁଣି ଚିହ୍ନି ପାରିଥିଲା । ସାମାନ୍ୟ ହସି ସେ କହିଲା–ହଁ ଭାଇ, ମତେ ଗୋଟାଏ ଭଲ ଜାଲ ପକେଇ ଜବତ୍‌ କରାଗଲା । କିନ୍ତୁ ତୁ ବି ଏଠିକି ଆସିଲୁ କେମିତି ?

 

ଜୟନ୍ତ କହିଲା—ସବୁ ଭାଗ୍ୟଚକ୍ର । ଯାହାକୁ ଗିରଫ କରିବାକୁ ଗଲି, ସେ ଓଲଟା ମତେ ଗିରଫ କଲା ।

 

ତାପରେ ଟିକିଏ ରହି କହିଲା—କିନ୍ତୁ ଲାଲ୍‌ ଝଣ୍ଡା ଦଳ ନିର୍ବିଘ୍ନରେ କାମ କରିଗଲେ କେତେ ନିରୀହଙ୍କର ଯେ ସର୍ବନାଶ ହେବ ତାର ଠିକଣା ନାହିଁ । ଯେଭଳି ଭାବରେ ହେଉ ମୁକ୍ତ ହେବାକୁ ପଡ଼ିବ ।

 

ସୁଧୀର କହିଲା—କିନ୍ତୁ ମୋର ଯେ ଗୋଡ଼, ହାତ ବନ୍ଧା ହୋଇଛି ।

 

ଜୟନ୍ତ ଗଡ଼ି ଗଡ଼ି ଯାଇ ସୁଧୀର ପାଖରେ ପହଞ୍ଚିଲା । ତାପରେ କହିଲା—ମୋ ପ୍ୟାଣ୍ଟ ପଟିରେ ଯେ ଗୋଟାଏ ଛୋଟ ଛୁରି ଅଛି ସେଇଟା ସେମାନେ ବୋଧହୁଏ ଜାଣିପାରି ନାହାନ୍ତି । ଯାହାହେଉ ସେ ଛୁରିଟା କାଢ଼ିଲୁ ।

ଗଡ଼ି ଗଡ଼ି ଜୟନ୍ତ ତାର ପ୍ୟାଣ୍ଟ ପଟିଟା ସୁଧୀର ହାତ ପାଖରୁ ଆଣିଲା ।

ସୁଧୀର ଅନେକ କଷ୍ଟରେ ତାର ପ୍ୟାଣ୍ଟ ପଟିରୁ ଛୁରିଟା ବାହାର କଲା ଜୟନ୍ତ ହାମୁଡ଼େଇ ପଡ଼ି ହାତ ଦୁଇଟା ସୁଧୀର ହାତ ପାଖକୁ ନେଇ ଧରିଲା ।

ଅନେକ ପରିଶ୍ରମ କରି ସୁଧୀର ଜୟନ୍ତ ହାତରେ ବନ୍ଧାହୋଇଥିବା ଦଉଡ଼ି କାଟିଦେଲା ।

ଜୟନ୍ତ ଉଠିବସି ନିଜ ଗୋଡ଼ରେ ବନ୍ଧାଯାଇଥିବା ଦଉଡ଼ି ଏବଂ ସୁଧୀରର ଗୋଡ଼ ହାତର ବନ୍ଧନ କାଟି ଖୋଲିଦେଲା । କିନ୍ତୁ ବାହାରକୁ ବାହାରିବାର କୌଣସି ଉପାୟ ସେମାନେ ଦେଖିପାରିଲେ ନାହିଁ ।

ଅନେକ ଅନୁସନ୍ଧାନ ପରେ କୌଣସି ଉପାୟ ନ ଦେଖି ଜୟନ୍ତ ଟିକିଏ ହତାଶ ହୋଇପଡ଼ିଲା । ସୁଧୀର କହିଲା—ଏଇଟା ମାଟିତଳେ ଥିବା ଗୋଟାଏ କକ୍ଷ । ଏହା ମଧ୍ୟରୁ ବାହାରିବା ପ୍ରାୟ ଅସମ୍ଭବ । ୟାର ଏମିତି ଗୋଟାଏ ସୁଇଚ କେଉଁଠି ଅଛି ଯେଉଁଟା ଟିପିଲେ ଏ ଦ୍ୱାରଟା ଆପେ ଆପେ ଖୋଲିଯାଏ, ଆଉ ସମଗ୍ର ଘରଟା ପଞ୍ଜୁରୀ ଭଳି ଉପରକୁ ଉଠିଯାଏ । ତାର ବିପରୀତ ସୁଇଚଟା ଟିପିଲେ ଦ୍ୱାରଟା ବନ୍ଦ ହୋଇ ଘରଟା ତଳକୁ ଖସି ଆସେ । ସେ ରାସ୍ତା ଛଡ଼ା ଅନ୍ୟ କୌଣସି ରାସ୍ତା ନାହିଁ ।

ଜୟନ୍ତ କିଛି ସମୟ ଘରର ଚାରି ପାଖ ଦେଖି କହିଲା—ଆଚ୍ଛା, ଏପଟର ଦ୍ୱାରଟା ସୁଇଚ୍‌ ଟିପିବା ଯୋଗୁ ବୈଦ୍ୟୁତିକ ଉପାୟରେ ବନ୍ଦ ହୋଇ ତଳକୁ ଖସି ଆସେ; କିନ୍ତୁ ଏ ପଟର ଦ୍ୱାରଟା କଣ ପାଇଁ ଅଛି ?

ସୁଧୀର ମୁଣ୍ଡରେ ସେକଥା ପଶି ନଥିଲା । ସେ ଉତ୍ସାହିତ ହୋଇ କହିଲା—ଏ ବନ୍ଦ ଦ୍ୱାରଟାରେ ବି ନିଶ୍ଚୟ କୌଣସି ଗୋପନ ରହସ୍ୟ ଅଛି । କିନ୍ତୁ ସେଇଟା କଣ ହୋଇପାରେ ? କିଭଳି ଭାବରେ ଦ୍ୱାରଟା ଖୋଲାଯାଏ ? ଏ ଦ୍ୱାରର ଗୋପନ ପଥଟା କେଉଁଠି ଯାଇ ଶେଷ ହୋଇଛି ?

ଅନ୍ଧାରରେ ଦୁହେଁଯାକ ଅଣ୍ଡାଳି ଅଣ୍ଡାଳି ଖୋଜିବାରେ ଲାଗିଲେ ।

ଜୟନ୍ତ କହିଲା—ବନ୍ଦ ହୋଇଥିବା ଦ୍ୱାରଟା ଖୋଲିବାର କୌଣସି ଉପାୟ ତ ଦେଖୁ ନାହିଁ ।

ହଠାତ୍‌ ଜୟନ୍ତ କଣ ଗୋଟାଏ ସ୍ପର୍ଶରେ ଯେମିତି କ୍ଷୀଣ ଆର୍ତ୍ତନାଦ କରି ଉଠିଲା ।

ସୁଧୀର ପଚାରିଲା—କ’ଣ ହେଲାରେ ?

ଜୟନ୍ତ କହିଲା—ଉପାୟ ମିଳିଛି ସୁଧୀର । ମୋ ହାତରେ ଇଲେକଟ୍ରିକ ଧକ୍‌କା ଲାଗିଲା । ଏ ପାଖ ଦେଇ ଇଲେକଟ୍ରିକ ତାର ଯାଇଛି ଏବଂ ନିଶ୍ଚୟ ତାର ପ୍ରଭାବରେ ଦ୍ୱାରଟା ବନ୍ଦ ଅଛି । ଯଦି ତାରଟା କାଟି ଦିଆଯାଏ ତାହେଲେ ଦ୍ୱାରଟା ବୋଧହୁଏ ଖୋଲିପାରେ ।

ସୁଧୀର ପଚାରିଲା—କିନ୍ତୁ ସୁଇଚ୍‌ଟା କେଉଁଠି ?

 

ଜୟନ୍ତ କହିଲା—ସୁଇଚ୍‌ଟା ତ ଖୋଜି ପାଇଲେ କାମରେ ଲାଗନ୍ତା । କିନ୍ତୁ ଲାଲ୍‌ ଝଣ୍ଡା ଦଳ ଏତେ ବୋକା ନୁହଁନ୍ତି ଯେ ସୁଇଚ୍‌ଟା ଏ ଘର ଭିତରେ ରଖିବେ । ଦେ ଛାଡ଼, ମୋର ଧାରଣା ସତ କି ମିଛ ଦେଖାଯାଉ ।

 

ସୁଧୀର ହାତରୁ ଛୁରିଟା ନେଇ ଜୟନ୍ତ ଗୋଟାଏ ଘୋରାରେ ତାରଟା କାଟି ପକେଇଲା-। ସଙ୍ଗେ ସଙ୍ଗେ ଦୁଇ ଜଣଯାକ ଚମକି ଉଠିଲେ । ଯେମିତି ଗୋଟାଏ ସ୍ପ୍ରିଂର ଟାଣରେ ଦ୍ୱାରଟା ଗୋଟାଏ ପାଖକୁ ଘୁଞ୍ଚିଗଲା । ସେ ବାଟ ଦେଇ ସାମାନ୍ୟ ଆଲୋକ ଘର ଭିତରେ ଆସି ପଡ଼ିଲା ।

 

ଦୁହିଁଙ୍କ ମନରେ ଯେମିତି ଆନନ୍ଦର ଶିହରଣ ଖେଳିଗଲା । ସେମାନଙ୍କର ଚିନ୍ତା ଆଉ ପରିଶ୍ରମ ସାର୍ଥକ ହୋଇଛି ।

 

ଆଗରେ ଗୋଟାଏ ସୁଡ଼ଙ୍ଗ ରାସ୍ତା ଅଙ୍କାବଙ୍କା ହୋଇ ଲମ୍ବିଯାଇଛି । କେଉଁଠି ଯାଇ ସେଇଟା ଶେଷ ହେଇଚି ତାର ଠିକଣା ନାହିଁ ।

 

ସୁଧୀର ଫୁସ୍‌ଫୁସ୍‌ ହୋଇ କହିଲା,—ଗୋଟାଏ ଟର୍ଚ୍ଚ ଥିଲେ ଭଲ ହୋଇଥାଆନ୍ତା, ନହେଲେ କିଏ ଜାଣେ ଏହା ଭିତରେ କୌଣସି ସାପ କି ବିଛା ଅଛି କି ନାଇଁ ।

 

ଜୟନ୍ତ ହସି ଦେଇ କହିଲା,—ନା, ଏ ରାସ୍ତାଟା ବେଳେବେଳେ ବ୍ୟବହାର ହେଉଚି ଯେତେବେଳେ, ସେତେବେଳେ ନିଶ୍ଚୟ ସାହସ ଧରି ଆଗେଇ ହେବ ।

 

ମୁଣ୍ଡ ନୁଆଁଇ ଦୁହେଁ ବୁଲି ବୁଲି ଆଗେଇ ଚାଲିଲେ । ମୁଣ୍ଡ ବାଡ଼େଇ ହୋଇଯାଉଚି, ଗୋଡ଼ ହାତ ଅବଶ ହୋଇଆସୁଚି । ସୁଡ଼ଙ୍ଗଟା ଯେ ଏତେ ଲମ୍ବା ହୋଇପାରେ ସେମାନଙ୍କର ଧାରଣା ନଥିଲା । ଏହାର କଣ ଶେଷ ନାହିଁ ? କ୍ରମଶଃ ଉପରଆଡ଼େ ଉଠିଚି । ଏଇତ କ୍ଷୀଣ ଆଲୋକର ଆଭାସ ମିଳୁଛି—ସୁଡ଼ଙ୍ଗ ବୋଧହୁଏ ଶେଷ ହୋଇ ଆସୁଛି ।

 

ସୁଡ଼ଙ୍ଗ ମୁହଁରେ କିଏ ଜଣେ ବସି ପହରା ଦେଉଛି । ଜୟନ୍ତ ଉପରକୁ ମୁହଁ କାଢ଼ି ଦେଖିଲା ଜଣେ ଲୋକ ବସି ଢୁଳୋଉଚି । ହଠାତ୍‌ ଦୁଇ ଜଣ ଯାକ ପଛ ପାଖରୁ ତା ଉପରକୁ କୁଦି ପଡ଼ିଲେ । ଆକସ୍ମିକ ଆକ୍ରମଣରେ ଲୋକଟି କୌଣସି ପ୍ରକାର ଶବ୍ଦ କରି ନପାରି ଲୋଟିପଡ଼ିଲା । ତାର ଗୋଡ଼, ହାତ, ମୁହଁ ଭଲ ଭାବରେ ବାନ୍ଧି ସେମାନେ ଚାରିଆଡ଼େ ନଜର ବୁଲେଇଲେ ।

 

କିନ୍ତୁ ଯାହା ଦେଖିଲେ ସେଥିରେ ଦୁହେଁ ବିସ୍ମୟ ନ ହୋଇ ରହିପାରିଲେ ନାହିଁ, ଏ କଣ ! ସେମାନେ ଏତେ ବଡ଼ ସୁଡ଼ଙ୍ଗ ପଥ ପାର ହୋଇ ସଦେଇ ବେହେରା ଦୋକାନ ପାଖରେ ଥିବା ଜଙ୍ଗଲରେ ଉଠିଛନ୍ତି ! ଲାଲ୍‌ ଝଣ୍ଡା ଦଳପତି ତାହେଲେ କଣ ଏଇ ରାସ୍ତା ଦେଇ ଯିବା ଆସିବା କରୁଛି ?

 

ଜୟନ୍ତ କହିଲା,—ଆମ ଗାଡ଼ିଟା ସେପଟେ ଲୁଚେଇ ରଖିଛି—ଆମେମାନେ ଯେ ପଳାଇ ଯାଉଚେ ସେକଥା ଜାଣିବାର ସାମାନ୍ୟ ସମୟ ବି ଏମାନଙ୍କୁ ଦେବା ଉଚିତ ହେବ ନାହିଁ ।

 

ଗାଡ଼ିଟା ପବନ ବେଗରେ ଥାନାଆଡ଼େ ଆଗେଇଲା । ରାତି ସେତେବେଳକୁ ଶେଷ ହୋଇ ଆସୁଛି ।

 

।। ବାର ।।

 

—ଅଲେଖ ବିହାରୀ, ମୁଁ ଶେଷ ଥର ପାଇଁ ତୁମକୁ କହୁଛି—ଏ ଚେକଟାରେ ଦସ୍ତଖତ କରିଦିଅ । ମାତ୍ର କୋଡ଼ିଏ ହଜାର ଟଙ୍କା ଦେଇ ତୁମେ ଛାଡ଼ ପାଇବ—ଆମେମାନେ ତୁମର କୌଣସି କ୍ଷତି କରିବୁ ନାହିଁ ।

 

କିନ୍ତୁ ଯଦି ତା ନ କରେ, ତାହାଲେ ତୁମ ଉପରେ ଯେଉଁ ଅମାନୁଷିକ ଅତ୍ୟାଚାର ଚାଲିବ ସେକଥା ନ କହିଲେ ଭଲ । ଏ ଯେଉଁ ଚୁଲିଟାରେ ନିଆଁ ଜଳୁଛି ତା ଉପରେ ତୁମକୁ ବାନ୍ଧି ଝୁଲେଇ ଦିଆଯିବ । ତୁମ ପାଦର ଚମଡ଼ା, ମାଂସ ପୋଡ଼ି ଛିଣ୍ଡିପଡ଼ିବ । ଏଇଟା ତୁମ ପାଇଁ ପ୍ରଥମ ଶାସ୍ତି....

 

ଏତକ କହି ଘର କୋଣରେ ବସିଥିବା ସର୍ବାଙ୍ଗ କଳାପୋଷାକଧାରୀ, ମୁଖା ପିନ୍ଧା ଲୋକଟା ଜୋର୍‌ରେ ହସି ଉଠିଲା ।

 

ଭୂଗର୍ଭସ୍ଥ ଏ କକ୍ଷଟାରେ ଅଲେଖ ବିହାରୀ ଧଳ ଗୋଡ଼ ହାତ ବନ୍ଧା ହୋଇଥିବା ଅବସ୍ଥାରେ ପଡ଼ିଥିଲେ । ଏ ପାଖରେ ଧାଡ଼ି ହୋଇ ପ୍ରାୟ ଦଶ ଜଣ ଲୋକ ଠିଆ ହୋଇଛନ୍ତି । ସମସ୍ତଙ୍କ ମୁହଁରେ ମୁଖା ।

 

ଅଲେଖ ବାବୁ କ୍ଷୀଣ ସ୍ୱରରେ କହିଲେ—ନା, ଭୟ ଦେଖାଇ ଯଦି ମତେ ଜବତ୍‌ କରିବାକୁ ଭାବିଥାଅ ତାହାଲେ ତୁମେମାନେ ପ୍ରକାଣ୍ଡ ଭୁଲ୍‍ କରି ବସିଚ । ମୋ ଜୀବନରେ ଗୋଟାଏ ବସ୍ତୁ ନାହିଁ, ସେଇଟା ହେଲା ଭୟ । ନ ହେଲେ ଅନେକ ଆଗରୁ ଭୟ ଦେଖାଇ ମତେ ଜବତ୍‌କରି ପାରି ଥାଆନ୍ତ ।

 

ମୋ ଜୀବନର ଗୋଟାଏ ପୁରୁଣା ଦୁର୍ବଳତାର ସନ୍ଧାନ ତୁମେ ପାଇଛ; କିନ୍ତୁ ଚକ୍ରାନ୍ତର ଜାଲ ପକେଇ ମତେ ସର୍ବସାନ୍ତ କଲେ ବି ମୋ ପାଖରୁ ତୁମେ ଫଟା ପାହୁଲାଟାଏ ବି ସାହାଯ୍ୟ ପାଇବ ନାହିଁ ।

 

ଲାଲ୍‌ ଝଣ୍ଡା ଦଳର ଦଳପତି, ମୁଁ ତୁମକୁ ଭଲଭାବରେ ଚିହ୍ନି ପାରିଛି । ତୁମେ ହେଉଛ ଅବତାର ସିଂ । ମୋ ସହିତ ବିଶ୍ୱାସଘାତକତା କରି ମତେ ନରହତ୍ୟା ଷଡ଼ଯନ୍ତ୍ରରେ ପକେଇଥିଲ । ଆଜି ତୁମର ସ୍ୱରୂପ ମୋ ପାଖେ ପ୍ରକାଶ ପାଇଛି । ତୁମର ପୁରୁଣା ଖୋଳଟା କାଢ଼ି ଅସଲ ମଣିଷ ବାହାରି ଆସିଛି, ତେବେ ମୁଁ ତୁମର ଷଡ଼ଯନ୍ତ୍ର ଏବଂ ତୁମର ବୁଦ୍ଧିର ଏତେଟା ପ୍ରମାଣ ଆଗରୁ ପାଇ ନଥିଲି, ଆଜି ଯଦି ମୁଁ ଚେକ୍‌ରେ ଦସ୍ତଖତ କରି ତୁମକୁ ସାହାଯ୍ୟ କରେ, ମୁଁ ଜାଣେ ସେ ଚେକ୍‌ର ଟଙ୍କାଟା ତୁମ ହାତରେ ପଡ଼ିବା ମାତ୍ରେ ମୋର ଅସ୍ତିତ୍ୱ ପୃଥିବୀ ବକ୍ଷରୁ ପୋଛି ହୋଇଯିବ ।

 

ଅତୀତରେ ମୁଁ କୌଣସି ଦିନ ନରହତ୍ୟା କରି ନାହିଁ । ତୁମେ ଅବତାର ସିଂ ଓରଫି ଲାଲ୍‌ ଝଣ୍ଡାର ଦଳପତି ନିଜେ ନରହତ୍ୟା କରି ମତେ ସେ ଚକ୍ରାନ୍ତରେ ପକାଇ ସର୍ବସ୍ୱାନ୍ତ କରିଥିଲ । ତାପରେ ମୁଁ ପୁରୁଣା ପରିଚୟ ଲୁଚେଇ ଅଲେଖବିହାରୀ ଧଳ ସାଜି ନିଶ୍ଚିନ୍ତରେ ବାସ କରୁଥିଲି । କିନ୍ତୁ ସେଇଟା ବି ସହିପାରିଲ ନାହିଁ ବିଶ୍ୱାସଘାତକ ! ଧୂମକେତୁ ଭଳି ପୁଣି ଆସି ମୋ ଜୀବନରେ ଦେଖା ଦେଲ ! ଜୀବନ ଥିବା ପର୍ଯ୍ୟନ୍ତ ମୁଁ ତୁମକୁ ଫଟା ପାହୁଲାଟାଏ ବି ସାହାଯ୍ୟ ଦେବି ନାହିଁ ।

 

କଳାପୋଷାକଧାରୀ ଲୋକଟି ଗର୍ଜି ଉଠି କହିଲା,—ହଁ ଅଲେଖ ବିହାରୀ ଧଳ ଓରଫ ନୀଳାମ୍ବର ଦାସ, ତୁମେ ମତେ ଠିକ୍‌ ଚିହ୍ନିପାରିଛ । ମୁଁ ସେଦିନ ନରହତ୍ୟା କରି ତୁମକୁ ଚକ୍ରାନ୍ତରେ ପକେଇଥିଲି । ମୁଁ ସେଇ ଲାଲ୍‌ ଝଣ୍ଡାର ଦଳପତି । ଆଜି କିନ୍ତୁ ତୁମକୁ ରକ୍ଷା କରିବା ପାଇଁ କେହି ନାହିଁ । ଜୟନ୍ତ ପାଣିଗ୍ରାହୀ ଆଉ ତାର ସହକାରୀ ସୁଧୀର ମୋ ଜନ୍ତାରେ ବନ୍ଦୀ ହୋଇ ପଡ଼ିଛନ୍ତି । ସେମାନଙ୍କୁ ମୁଁ ତୁମରି ଆଗରେ ପୋଡ଼ିଜାଳି ମାରିବି । ଆଉ ତୁମ ପାଖରୁ କେମିତି ଟଙ୍କା ଆଦାୟ ହେବ ସେଇଟା ବି ଦେଖୁଛି ।

 

ତାପରେ ଜଣେ ଅନୁଚର ଆଡ଼େ ଚାହିଁ କହିଲା,—ଫକୀର ସିଂ, ତୁମେ ଏ ରିଭଲ୍‌ଭର୍‌ଟା ନେଇ ଯାଇ ଜୟନ୍ତ ପାଣିଗ୍ରାହୀ ଆଉ ତାର ସହକାରୀ ସୁଧୀରକୁ ବନ୍ଧା ହୋଇଥିବା ଅବସ୍ଥାରେ ଏଠାକୁ ଘୋଷାରି ନେଇ ଆସ ।

 

ଅନ୍ୟ ଦୁଇ ଜଣ ଅନୁଚରଙ୍କୁ ଚାହିଁ କଣ ଗୋଟାଏ ଇଙ୍ଗିତ କରିବା ମାତ୍ରେ ସେମାନେ ଅଲେଖ ବାବୁଙ୍କୁ ଟେକି ଧରି ଶୂନ୍ୟରେ ତାଙ୍କୁ ଝୁଲେଇ ରଖିବା ପାଇଁ ଦଉଡ଼ିରେ ହାତ ଦୁଇଟା ବାନ୍ଧି ଦେଲେ ।

 

ଅଲେଖ ବାବୁଙ୍କୁ ଶୂନ୍ୟରେ ଝୁଲାଇ ପ୍ରକାଣ୍ଡ ଜଳନ୍ତା ଚୁଲିଟା ଆଣି ତାଙ୍କର ଗୋଡ଼ ତଳେ ରଖାଗଲା । ନିଆଁ ଶିଖା ତାଙ୍କର ପାଦ ଦୁଇଟା ଲେହନ କରିବା ମାତ୍ରେ ସେ ଆର୍ତ୍ତନାଦ କରି ଉଠିଲେ । ତାଙ୍କ କାନରେ ଲାଲ୍‌ ଝଣ୍ଡା ଦଳପତିର ଉଚ୍ଛ୍ୱସିତ ହସ ବଜ୍ରନାଦ ଭଳି ବାଜୁଥିଲା ।

 

ଜ୍ଞାନଶୂନ୍ୟ ଅବସ୍ଥାରେ ଅଲେଖ ବାବୁ ଝୁଲି ରହିଲେ ।

 

କୂଳରେ ଲାଗିବା ଆଗରୁ ଅକସ୍ମାତ ଡଙ୍ଗା ବୁଡ଼ିଗଲେ ଯାତ୍ରୀମାନଙ୍କ ମୁହଁରେ ଯେମିତି ଅସହାୟତା ଫୁଟି ଉଠେ, ଲାଲ୍‌ ଝଣ୍ଡା ଦଳପତି ମୁହଁରେ ଯେମିତି ଅସହାୟତା ଫୁଟି ଉଠେ, ଲାଲ୍‌ ଝଣ୍ଡା ଦଳପତି ମୁହଁରେ ସେମିତି ଗୋଟାଏ ଭାବ ଫୁଟି ଉଠିଲା । ଫକୀର ସିଂ ଧାଇଁ ଆସି କହିଲା,–ହଜୁର୍‍ ! ଜୟନ୍ତ ପାଣିଗ୍ରାହୀ ଆଉ ତାର ସହକାରୀ ବନ୍ଧନ କାଟି ପଛ ପାଖ ଇଲେକ୍‌ଟ୍ରିକ୍‌ ଦ୍ୱାରବାଟେ ସୁଡ଼ଙ୍ଗ ରାସ୍ତା ଦେଇ ପଳାଇ ଯାଇଛନ୍ତି ।

 

ହିଂସ୍ର ବାଘ ଭଳି ଲାଲ୍‌ ଝଣ୍ଡାର ଦଳପତି ଚିତ୍କାର କରି ଉଠିଲା, ଆଉ ସୁଡ଼ଙ୍ଗ ମୁହଁରେ ଯିଏ ପହରା ଦେଉଥିଲା ସେ କଣ କରୁଛି ?

 

ଡରି ଡରି ଫକୀର ସିଂ କହିଲା—ଗୋଡ଼ ହାତ ବନ୍ଧା ଅବସ୍ଥାରେ ସେ ପଡ଼ିରହିଛି ।

 

ଲାଲ୍‌ ଝଣ୍ଡାର ଦଳପତି ଅସ୍ଥିର ଭାବରେ କକ୍ଷ ଭିତରେ ପଦଚାରଣ କରିବାରେ ଲାଗିଲା-! କହିଉଠିଲା—ଅପଦାର୍ଥଦଳ । ସାମାନ୍ୟ ଲୋକ ଦୁଇଟାଙ୍କୁ ବାନ୍ଧ ଯେଉଁମାନେ ଜନ୍ତାରେ ସମ୍ଭାଳି ରଖିପାରିଲେ ନାହିଁ ସେମାନଙ୍କୁ ନେଇ ଦଳ ଚଳେଇବ ! ମୁଁ ତୁମ ସମସ୍ତଙ୍କୁ ଶାସ୍ତି ଦେବି । ଗୋଟି ଗୋଟି କୁକୁର ଭଳି ଗୁଳି କରି ମାରିବି ।

 

କିନ୍ତୁ ତାର କଥା ଶେଷ ହେଲା ନାହିଁ ।

 

—ସମସ୍ତେ ଏଥର ମୁଣ୍ଡ ଉପରକୁ ହାତ ଉଠାଅ ।

 

ଚମକି ପଡ଼ି ସମସ୍ତେ ଦେଖିଲେ କକ୍ଷ ମଧ୍ୟରେ ଜୟନ୍ତ ପାଣିଗ୍ରାହୀ, ସୁଧୀର, ଇନିସ୍‌ପେକ୍ଟର ନରେନ୍‌ ଆଉ ଦଳେ ସଶସ୍ତ୍ର ପୋଲିସ....

 

ଜୟନ୍ତ ହସି ହସି କହିଲା,—ଲାଲ୍‌ ଝଣ୍ଡାର ଦଳପତି ଅବତାର ସିଂ ଓରଫ ସଦେଇ ବେହେରା ଚାକର ଘନଶ୍ୟାମ, ଅଲେଖ ବାବୁଙ୍କ ପାଖରେ ତୁମର ସ୍ୱୀକୋରକ୍ତି ପାଖ ଘରେ ଥିବା ଡିକ୍ଟୋଫୋନ ଯନ୍ତ୍ରରେ ଧରି ରଖାଯାଇଛି । ପ୍ରମାଣିତ ହୋଇଛି ଅଲେଖ ବାବୁ ନିଦ୍ଦୋଷ ଆଉ ତୁମେ ନିଜେ ଖୁଣୀ !

 

ନରେନ୍‌ ଏବଂ ତାଙ୍କର ଦଳ ସେତେବେଳେ ସମସ୍ତଙ୍କ ହାତରେ ହାତକଡ଼ି ପିନ୍ଧାଇବାରେ ବ୍ୟସ୍ତ ଥିଲେ ।

Image